Unknown

 

 

 

 

 

 

 

 

 

ବିପନ୍ନ ନାବିକର କାହାଣୀ

 

ଅନୁବାଦକ

ଶ୍ରୀ ଦିବାକର ପାଣି

 

ଏକ

 

ନେଡ୍‍ ହାର୍ନ୍ ପ୍ଲାଇମାଉଥ ବନ୍ଦର ନିକଟରେ ନିଜର ଜିନିଷ ପତ୍ର ଧରି ଠିଆ ହୋଇଥିଲା-। ଆଗରେ ତାର ଜାହାଜରୁ ଆସୁଥିବା ଏକ ବିରାଟ ନୌକା । ଶେଷ ଦଳ ଲୋକଙ୍କୁ ନେବାପାଇଁ ଏହି ନୌକା ଅପେକ୍ଷା କରିଥିଲା । ଅଳ୍ପ ଦୂରରେ କ୍ୟାପ୍ଟେନ୍ ଫ୍ରାନ୍‍ସିସ୍ ଡ୍ରେକ୍ ଆଉ ତାଙ୍କ ଭାଇ କ୍ୟାପ୍ଟେନ୍ ଜନ୍ ଡ୍ରେକ୍ ଠିଆ ହୋଇ ପ୍ଲାଇମାଉଥ ସହରର ବିଶିଷ୍ଟ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିଲେ । ଏଇ ଭଦ୍ରବ୍ୟକ୍ତିମାନେ ତାଙ୍କୁ ବିଦାୟ ଦେବାକୁ ଆସିଥିଲେ । ୧୫୭୨ ଖ୍ରୀଷ୍ଟାବ୍ଦ ମେ ମାସର ଏକ ରବିବାର । ସହରର ବହୁ ଲୋକ ଏଇ ଅଭିଯାନକାରୀଙ୍କୁ ବିଦାୟ ଦେବାପାଇଁ ବନ୍ଦରରେ ଉପସ୍ଥିତ ଥିଲେ । ଆଗରେ ଦେଖା ଯାଉଥିଲା ଦୁଇଟି ଛୋଟ ଜାହାଜ । ଏଇ ଅଭିଯାନର ପରିଣତି କ’ଣ ହେବ କେହି ଚିନ୍ତା କରିପାରୁ ନ ଥିଲେ । ତେବେ ସମସ୍ତେ ମନେ ମନେ ଭାବୁଥିଲେ ଯେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେମାନେ ତାଙ୍କର ସନ୍ତାନସନ୍ତତିଙ୍କ ଆଗରେ ଗର୍ବର ସହ କହିବେ, “ମିଷ୍ଟର ଡ୍ରେକ୍ ତାଙ୍କର ବିରାଟ ଅଭିଯାନ ଆରମ୍ଭ କଲାବେଳେ ମୁଁ ଦେଖିଥିଲି ।”

 

ଯେଉଁ କାମରେ ଏଇ ନୌଭେଳା ବାହାରିଥିଲା ତା ତୁଳନାରେ ଏହା ବାସ୍ତବିକ୍ କ୍ଷୁଦ୍ର । ମାତ୍ର ଦୁଇଟି ଜାହାଜକୁ ନେଇ ନୌଭେଳା ଗଠିତ । ପ୍ରଥମ ଜାହାଜ ‘ପାଚା’ର ଓଜନ ମାତ୍ର ସତୁରି ଟନ୍ । ଏଥିରେ ବୟସ୍କ ଲୋକ ଏବଂ ତରୁଣ ମିଶି ସତଚାଳିଶ ଜଣ ଥିଲେ ଏବଂ ନିଜେ କ୍ୟାପ୍ଟେନ୍ ଫ୍ରାନ୍‍ସିସ୍ ଡ୍ରେକ୍ ଏ ଜାହାଜର ଅଧ୍ୟକ୍ଷ ଥିଲେ । ଅନ୍ୟ ଜାହାଜ ‘ସ୍ଵାନ୍’ର ଓଜନ ମୋଟେ ପଚିଶ ଟନ୍-। ସେଥିରେ ଛବିଶ ଜଣ ବ୍ୟକ୍ତି ଥିଲେ ଏବଂ କ୍ୟାପ୍ଟେନ୍ ଜନ୍ ଡ୍ରେକ୍ ଥିଲେ ଏହାର ଅଧ୍ୟକ୍ଷ । ଏକ ଦୀର୍ଘ ଯାତ୍ରା ପାଇଁ ଏ ନୌଭେଳା ନିଶ୍ଚୟ ଅତି କ୍ଷୁଦ୍ର ଥିଲା ।

 

ସେ ସମୟରେ ସ୍ପେନୀୟମାନେ ଦକ୍ଷିଣ ଆମେରିକା ଏବଂ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ଆଧିପତ୍ୟ ବିସ୍ତାର କରିଥିଲେ । ଅନେକ ବଡ଼ ବଡ଼ ସହରରେ ସେମାନଙ୍କର ବିରାଟ ସେନାବାହିନୀ ଥିଲା । ସେଠାରୁ ସଂଗୃହିତ ଧନରତ୍ନ ସ୍ପେନକୁ ନେବାପାଇଁ ବିରାଟ ନୌଭେଳା ସବୁ ଥିଲା । ଏହି ନୌଭେଳା ସୈନ୍ୟବାହିନୀଦ୍ୱାରା ସୁରକ୍ଷିତ ଥିଲା । ସ୍ପେନର ବିରାଟ ନୌଭେଳା ନିକଟରେ ଇଂଲଣ୍ଡର ଏହି ଦୁଇ କ୍ଷୁଦ୍ର ଜାହାଜ ଅତି ନଗଣ୍ୟ ।

 

କ୍ୟାପ୍ଟେନ୍ ଡ୍ରେକ୍ ଏବଂ ତାଙ୍କର କର୍ମଚାରୀମାନେ ଏ ବିଷୟରେ ମୋଟେ ଚିନ୍ତିତ ନ ଥିଲେ । ସେମାନଙ୍କ ପୂର୍ବପୁରୁଷଙ୍କର ସଫଳତା ଇଂରେଜ ନାବିକମାନଙ୍କୁ ଉଦ୍‍ବୁଦ୍ଧ କରିଥିଲା । ସ୍ପେନୀୟମାନଙ୍କୁ ସେମାନେ ଭୟ କରୁ ନ ଥିଲେ । ଇଂରେଜ ନାବିକମାନେ ସ୍ପେନୀୟମାନଙ୍କୁ ତାଙ୍କ ଦେଶର ଶତ୍ରୁ, ଧର୍ମର ଶତ୍ରୁ ଏବଂ ମାନବିକତାର ଶତ୍ରୁ ବୋଲି ବିଚାର କରୁଥିଲେ । ତା ବ୍ୟତୀତ ସ୍ପେନୀୟମାନେ ଅତି ଧନଶାଳୀ ଏବଂ ତାଙ୍କର ଧନ ଅପହରଣଯୋଗ୍ୟ ବୋଲି ସେମାନେ ଜାଣିଥିଲେ ।

 

ସହରବାସୀଙ୍କର ହର୍ଷଧ୍ୱନି ମଧ୍ୟରେ ନୌକା ଦୁଇଟି କୂଳ ଛାଡ଼ି ଆଗକୁ ଚାଲିଲା । ମିଷ୍ଟର ଫ୍ରାନ୍‍ସିସ୍ ଡ୍ରେକ୍‍ ଏବଂ ତାଙ୍କ ଭାଇ ମୁଣ୍ଡର ଟୋପି କାଢ଼ି ହାତରେ ଧରି ପ୍ଲାଇମାଉଥର ନାଗରିକମାନଙ୍କୁ ବିଦାୟ ଜଣାଇଲେ । ନାବିକମାନେ ଆନନ୍ଦ ଧ୍ୱନି କରି ଆହୁଲା ଉପରେ ଲଇଁ ପଡ଼ିଲେ । ନେଡ୍ ହାର୍ନ ନୌକାର ଆଗ ମଙ୍ଗରେ କାମରେ ଲାଗିଗଲା । ମିଷ୍ଟର ଡ୍ରେକ୍‍ଙ୍କଠାରୁ ସେ ବେଶ୍ ସ୍ନେହପୂର୍ଣ୍ଣ ବ୍ୟବହାର ପାଇଥିଲା । ସ୍ପେନୀୟମାନଙ୍କୁ ଯୁଦ୍ଧରେ ପରାସ୍ତ କରି ଅମାପ ଧନରତ୍ନ ଧରି ଏଇ ବୀର ଅଭିଯାତ୍ରୀ ଦଳ ଘରକୁ ଫେରିବେ । ସେ ଦଳରେ ସେ ସ୍ଥାନ ପାଇଛି । ଏହା ଭାବି ନେଡ୍ ଆନନ୍ଦ ଓ ଗର୍ବରେ ଫୁଲିଉଠୁଥିଲା ।

 

ଜନ୍ ଡ୍ରେକ୍‍ଙ୍କ ନିକଟରେ ଜଣେ ଦୀର୍ଘ ବଳିଷ୍ଠ ଲୋକ ଠିଆ ହୋଇଥିଲେ । ନେଡ୍‍କୁ ନିର୍ଦ୍ଦେଶ କରି ଡ୍ରେକ୍ ତାଙ୍କୁ କହିଲେ, “ମାଷ୍ଟର ହଲିଓକ୍‍, ଏଇ ତରୁଣର ସନ୍ତରଣପଟୁତା ଆଉ ସାହସ ବିଷୟ କାଲି ରାତିରେ ମୁଁ ତୁମକୁ କହୁଥିଲି । ମୋର ବିଶ୍ୱାସ ସେ ଯେପରି ସାହସୀ ସେହିପରି କାମ ପ୍ରତି ଆଗ୍ରହୀ ହେବ ଏବଂ ନାବିକର କାମ ଶିକ୍ଷା କରିବାରେ ତୁମେ ତାକୁ ସାହାଯ୍ୟ କରିବ । ସେ ସମ୍ପୂର୍ଣ୍ଣ ଅନଭିଜ୍ଞ, କିନ୍ତୁ ମୋର ଆଶା ଆମର ଏ ଯାତ୍ରା ଶେଷ ହେଲା ବେଳକୁ ସେ ଜଣେ ଦକ୍ଷ ତରୁଣ ନାବିକ ହୋଇପାରିବ ।”

 

“ମୁଁ ନିଶ୍ଚୟ ତା କରିବି”—ଉତ୍ତର ଦେଲେ ଜନ ହଲିଓକ୍ । ସେ ଥିଲେ ଜାହାଜର ମୁଖ୍ୟ ଚାଳକ । ମୁଖ୍ୟ ଚାଳକଙ୍କର କାମ ଥିଲା ଜାହାଜ ଚଳାଇବା ଏବଂ କ୍ୟାପ୍ଟେନ୍‍ଙ୍କ କାମ ଥିଲା ଜାହାଜ ପାଇଁ ଯୁଦ୍ଧ କରିବା ।

 

ନେଡ୍ ପ୍ରଥମେ ମୁଖ୍ୟ ଚାଳକଙ୍କ ତତ୍ତ୍ୱାବଧାନରେ ରହିଲା । ପରବର୍ତ୍ତୀ ଦଶଦିନ ଜାହାଜ ଅନୁକୂଳ ପବନରେ ବେଶ୍ ଆଗେଇ ଚାଲିଲା । ଏ ଭିତରେ ନେଡ୍ ପ୍ରତ୍ୟେକ ପାଲ ଏବଂ ଦଉଡ଼ିର ନାଁ ଆଉ ସେଗୁଡ଼ିକର ବ୍ୟବହାର ଶିଖିଗଲା । କାମ କରିବା ପାଇଁ ତାର ଇଚ୍ଛା ଏବଂ ଆଗ୍ରହ ଦେଖି ମୁଖ୍ୟଚାଳକ ତା ଉପରେ ଖୁବ୍ ସନ୍ତୁଷ୍ଟ ହେଲେ ଏବଂ ସେ ତାଙ୍କର ଅତି ପ୍ରିୟ ହୋଇଗଲା ।

 

ଜୁଲାଇ ମାସ ଶେଷବେଳକୁ ସ୍ଥଳଭାଗ ସେମାନଙ୍କ ଦୃଷ୍ଟିରେ ପଡ଼ିଲା । ନାବିକମାନଙ୍କ ମନରେ ଅପୂର୍ବ ଆନନ୍ଦ, ବିଶେଷତଃ ତରୁଣମାନଙ୍କ ମନରେ । ଦଳ ଦଳ ହୋଇ ସ୍ଥଳଭାଗକୁ ଯାଇ ସେମାନେ ଆତ, କଦଳୀ ଏବଂ ଅନ୍ୟାନ୍ୟ ସୁସ୍ୱାଦୁ ଫଳ ଖାଇବାରେ ଲାଗିଗଲେ । ଦୀର୍ଘଦିନର ଲୁଣିଆ ଖାଦ୍ୟ ପରେ ଏହା ତାଙ୍କୁ ଅମୃତ ପରି ଲାଗିଲା । ତା ପରେ ପୁଣି ଯାତ୍ରା କରି ସେମାନେ ଫିଜାଣ୍ଟ ଉପସାଗରର ବନ୍ଦରରେ ପହଞ୍ଚିଲେ । କ୍ୟାପ୍ଟେନ୍ ଡ୍ରେକ୍ ପୂର୍ବରୁ ଏ ସ୍ଥାନକୁ ଆସିଥିଲେ । ଏଠାରେ ସେ ଅନେକ ଫିଜାଣ୍ଟ ପକ୍ଷୀ ଶିକାର କରି ଏହାର ନାମ ଫିଜାଣ୍ଟ ବନ୍ଦର ଦେଇଥିଲେ ।

 

ଜୁଲାଇ ୨୨ ତାରିଖରେ ସେମାନେ ପାଇନସ୍ ଦ୍ଵୀପରେ ପହଞ୍ଚିଲେ ଏବଂ ଜାହାଜରୁ ନୌକାଗୁଡ଼ିକ ପାଣିକୁ ଖସାଇଲେ । ସେମାନେ ଦେଖିଲେ ଖଣ୍ଡେ ଦୂରରେ ଏକ ବିରାଟ ସ୍ପେନୀୟ ଜାହାଜ ଯାତ୍ରା କରୁଛି । ତାକୁ ଅଧିକାର କରିବା ପାଇଁ କ୍ୟାପ୍ଟେନ୍ ଜନ୍ ଡ୍ରେକ୍‍ଙ୍କ ନେତୃତ୍ୱରେ ଚଉଦଜଣ ଲୋକ ଏକ ନୌକା ନେଇ ଚାଲିଲେ । ନେଡ୍ ଏହି ଦଳରେ ଥିଲା ।

 

ନୌକା ନିକଟବର୍ତ୍ତୀ ହେବାରୁ ଏଇ ବିରାଟ ଜାହାଜ ପରିଷ୍କାର ଦେଖାଗଲା । ତାର ଛାତ ଉପରେ ଅନେକ ଲୋକ ଜମା ହୋଇଥିଲେ । ମୋଟ ଉପରେ ଜାହାଜଟି ଏକ ଭାସମାନ ଦୁର୍ଗପରି ଦେଖାଯାଉଥିଲା । ମାତ୍ର ଚଉଦ ଜଣ ଲୋକ ନେଇ ଏକ ବିରାଟ ଜାହାଜକୁ ଆକ୍ରମଣ କରି ଅଧିକାର କରିବା ଏକାବେଳକେ ଅସମ୍ଭବ ବୋଲି ନିର୍ଭିକ ନେଡ୍ ମନରେ ମଧ୍ୟ ସନ୍ଦେହ ଜାତହେଲା-

 

ଏତିକିବେଳେ ଜାହାଜର ଏକ କମାଣ ଗର୍ଜି ଉଠିଲା ଏବଂ ଏକ ଗୋଳା ସେମାନଙ୍କ ମୁଣ୍ଡ ଉପର ଦେଇ ଚାଲିଗଲା । ତାପରେ କମାଣ ଏବଂ ଛୋଟ ବନ୍ଧୁକରୁ ଅନେକ ଗୋଳା ନିକ୍ଷେପ କରାଗଲା । ନୌକାର ଚାରିପାଖେ ପାଣିରେ ଗୋଳା ସବୁ ପଡ଼ିବାକୁ ଲାଗିଲା । କିନ୍ତୁ ଏଇ ଦୁର୍ଦ୍ଧର୍ଷ ନାବିକମାନେ ତିଳେ ମାତ୍ର ଭୟ କଲେ ନାହିଁ । ସେମାନଙ୍କ ମଧ୍ୟରୁ କେତେକ ଆହତ ହେଲେ ମଧ୍ୟ ଅପୂର୍ବ ସାହସିକତାର ସହ ସେମାନେ ଜାହାଜ ନିକଟକୁ ନୌକା ଚଳାଇନେଲେ । ତାପରେ ଜାହାଜ ଉପରୁ ସେମାନଙ୍କ ଉପରେ ଗରମପାଣି ଏବଂ ଫୁଟିଲା ତେଲ ବର୍ଷା କରାଗଲା । ଇଂରେଜମାନଙ୍କ ଅବସ୍ଥା ସେଇଠି ଶେଷ ହୋଇଥାନ୍ତା, କିନ୍ତୁ ଭାଗ୍ୟ ସେମାନଙ୍କର ଅନୁକୂଳ ଥିଲା । ଅସାବଧାନତାବଶତଃ ସ୍ପେନୀୟମାନେ ଜାହାଜରୁ ପାଣି ବାହାର କରିବାର ଗୋଟାଏ ବାଟ ଖୋଲା ରଖିଥିଲେ । ଏହା ଠିକ୍ ପାଣିର ଉପରେ ଥିଲା । ଏହି ବାଟ ଦେଇ ଇଂରେଜମାନେ ଜାହାଜ ମଧ୍ୟରେ ପ୍ରବେଶ କଲେ ଓ ଜାହାଜର ଛାତ ଆଡ଼କୁ ମାଡ଼ି ଚାଲିଲେ । ସ୍ପେନୀୟମାନେ ସେମାନଙ୍କୁ ଆକ୍ରମଣ କଲେ । କିନ୍ତୁ କ୍ରୋଧାନ୍ଧ ଇଂରେଜ ନାବିକମାନେ ପଶୁପରି ଗର୍ଜନକରି କୁଠାର ଏବଂ ତରବାରିଦ୍ୱାରା ସ୍ପେନୀୟମାନଙ୍କ ଉପରେ ପ୍ରବଳ ଆକ୍ରମଣ କରି ସେମାନଙ୍କୁ ହତ୍ୟା କଲେ । ମାତ୍ର ପାଞ୍ଚମିନିଟ୍ ମଧ୍ୟରେ ଯୁଦ୍ଧର ପରିସମାପ୍ତି ଘଟିଲା ଓ ଜାହାଜଟି ଇଂରେଜମାନେ ଅଧିକାର କଲେ । ତରବାରିରୁ ରକ୍ଷାପାଇଥିବା କେତେକ ସ୍ପେନୀୟ ବନ୍ଦୀ ହେଲେ ।

 

କ୍ୟାପ୍ଟେନ୍ ଡ୍ରେକ୍‍ଙ୍କ ଆଦେଶରେ ବନ୍ଦୀମାନଙ୍କୁ ଜାହାଜର ଛାତ ଉପରକୁ ଅଣାଯାଇ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର କାଢ଼ି ନିଆଗଲା । ତା ପରେ ନୌକା ସାହାଯ୍ୟରେ ଚାଲିଯିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଗଲା । ସ୍ପେନୀୟମାନେ ଜାହାଜ ଛାଡ଼ି ଚାଲିଯିବା ପରେ ଇଂରେଜମାନେ ଜାହାଜର ଚାରିଆଡ଼ ଧନରତ୍ନ ଆଶାରେ ଖୋଜିବାରେ ଲାଗିଲେ । ନେଡ୍‍ ଜାହାଜର ସର୍ବୋଚ୍ଚ ସ୍ଥାନରେ ଠିଆ ହୋଇ ନୌକାଗୁଡ଼ିକୁ ଲକ୍ଷ୍ୟ କରୁଥିଲା । ନୌକାଗୁଡ଼ିକରେ ଏତେ ଅଧିକ ଲୋକ ଥିଲେ ଯେ ସାମାନ୍ୟ ଟିକିଏ ପବନ ହେଲେ ତାହା ଓଲଟି ପଡ଼ିବା ନିଶ୍ଚିତ । ହଠାତ୍ ତଳୁ ଏକ କରୁଣ ଚିତ୍କାର ଏବଂ ତା ସହ କୌଣସି ଜିନିଷ ପାଣିରେ ପଡ଼ିବାର ଶବ୍ଦ ସେ ଶୁଣିପାରିଲା । ନଇଁପଡ଼ି ସେ ଦେଖିଲା ପାଣି ଉପରେ ଜଣେ ନାରୀର ମୁଣ୍ଡ । କିଛି ବିଚାର ନ କରି ନେଡ୍ ପାଣିକୁ ଡେଇଁ ପଡ଼ିଲା । କିଛି ସମୟ ପାଇଁ ବାଳିକାଟି ତାକୁ ଧରାଦେଲା ନାହିଁ, ସେ ବରଂ ବୁଡ଼ି ମରିବାକୁ ଚାହୁଁଥିଲା । କିନ୍ତୁ ନେଡ୍ ତାକୁ ଧରି ଜାହାଜ ନିକଟରେ ଥିବା ନୌକାରେ ଉଠାଇଦେଲା । ସେହି ବାଳିକାଟିକୁ ଜାହାଜର ଛାତ ଉପରକୁ ନିଆଗଲା । ସେଠାରେ କ୍ୟାପ୍ଟେନ୍ ଡ୍ରେକ୍‍ ତାକୁ ପ୍ରତିଶ୍ରୁତି ଦେଲେ ଯେ ଜାହାଜରେ ସେ ସବୁ ପ୍ରକାର ଭଦ୍ର ବ୍ୟବହାର ପାଇବ ଏବଂ ତାର ଭୟ କରିବାର କିଛି କାରଣ ନାହିଁ ।

 

ବାଳିକାଟି ନମ୍ବରଡ଼ିଡ଼ିଆସରେ ବାସ କରୁଥିବା ଜଣେ ଧନୀ ସ୍ପେନୀୟ ଭଦ୍ରବ୍ୟକ୍ତିଙ୍କ ଝିଅ-। ସେ ସ୍ପେନରୁ ତା ବାପାଙ୍କ ନିକଟକୁ ଯାଉଥିଲା । ଯୁଦ୍ଧର ଘନଘଟାରେ ସେ ଭୀତ ତ୍ରସ୍ତ ହୋଇ ଯାଇ ଥିଲା । ଇଂରେଜ ଜଳଦସ୍ୟୁଙ୍କର ଦୁର୍ଦ୍ଧର୍ଷ କାହାଣୀ ସେ ଆଗରୁ ଶୁଣିଥିଲା । ତେଣୁ ସେମାନେ ଜାହାଜର କୋଠରୀ ଆଡ଼କୁ ମାଡ଼ିଆସିବାର ଦେଖି ଶଙ୍କିତ ହୋଇ ସେ ଝରକାବାଟେ ସମୁଦ୍ର ଭିତରକୁ ଡେଇଁପଡ଼ିଥିଲା ।

 

କ୍ୟାପ୍ଟେନ ଡ୍ରେକ୍‍ଙ୍କ ଆଦେଶରେ ସ୍ପେନୀୟମାନଙ୍କୁ ନେଇ ଯାଉଥିବା ଏକ ବଡ଼ ନୌକାରେ ଏହି ବାଳିକା ଓ ତାର ପରିଚାରିକାକୁ ବସାଇଦିଆଗଲା । ଯିବା ପୂର୍ବରୁ ସ୍ପେନୀୟ ତରୁଣୀ ନେଡ୍‍କୁ ଚାହିଁ ଅନ୍ତରର କୃତଜ୍ଞତା ପ୍ରକାଶ କଲା । ନେଡ୍ ତା କଥାରୁ ବିଶେଷ କିଛି ବୁଝି ପାରିଲା ନାହିଁ । ତରୁଣୀଙ୍କର କଥା କ୍ୟାପ୍ଟେନ୍‍ ନେଡ୍‍ଙ୍କୁ ବୁଝାଇଦେଲେ । ନେଡ୍ ଉତ୍ତର ଦେଲା ଯେ କୃତଜ୍ଞତାର କୌଣସି କାରଣ ନାହିଁ, ସେ ଯାହା କଲା ଯେ କୌଣସି ମନୁଷ୍ୟ ତା କରିଥାନ୍ତା ।

 

ଏହା ପରେ ଇଂରେଜମାନେ ସ୍ପେନୀୟମାନଙ୍କର ଆଉ କେତୋଟି ଜାହାଜ ଅଧିକାର କରି ଲୁଣ୍ଠନ କଲେ । ପ୍ଲାଇମାଉଥରୁ ଯାତ୍ରା ଆରମ୍ଭ କଲାବେଳେ ଅଭିଯାନକାରୀ ଦଳରେ ଅଶିଜଣ ଲୋକ ଥିଲେ । ବର୍ତ୍ତମାନ ସେମାନଙ୍କ ସଂଖ୍ୟା ପଚାଶକୁ କମି ଯାଇଥିଲା । ଅନେକେ ମଧ୍ୟ ଦୁର୍ବଳ ଏବଂ ରୋଗାକ୍ରାନ୍ତ ହୋଇଯାଇଥିଲେ । ସେମାନେ ପ୍ରଚୁର ପରିମାଣରେ ଧନ ସମ୍ପଦ ଲାଭ କରିଥିଲେ । ଘରକୁ ଫେରି ଏହି ଧନ ସମ୍ପଦ ଭୋଗକରି କିଛିଦିନ ଆନନ୍ଦରେ କଟାଇବା ପାଇଁ ସେମାନଙ୍କର ଇଚ୍ଛାହେଲା । ତେଣୁ ଏହି ଛୋଟ ଅଭିଯାତ୍ରୀଦଳ ଇଂଲଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କଲେ ।

 

ଦିନେ ନେଡ୍ ତା ସହକର୍ମୀ ଜେରାଲ୍‍ଡ୍‍କୁ କହିଲା, “ଆକାଶଟା କିପରି ତୋଫାନ ପୂର୍ବର ଆକାଶ ଭଳି ଜଣାଯାଉଛି । ଆମର ନାବିକମାନଙ୍କ ସଂଖ୍ୟା ଖୁବ୍ କମ୍ । ଯଦି ଝଡ଼ ତୋଫାନ ହୁଏ ଆମକୁ ବିଶେଷ ଅସୁବିଧାରେ ପଡ଼ିବାକୁ ହେବ ।” ନେଡ୍‍ର ଏ ସନ୍ଦେହ ଯଥାର୍ଥ ବୋଲି ନାବିକମାନେ ଦୃଦୟଙ୍ଗମ କଲେ । ଯଥାଶୀଘ୍ର ସମ୍ଭବ ଜାହାଜର ପାଲସବୁ ଖସାଇଦିଆଗଲା ଏବଂ ଝଡ଼ର ସମ୍ମୁଖୀନ ହେବାପାଇଁ ଜାହଜ ପ୍ରସ୍ତୁତ ହୋଇଗଲା । ଚାହୁଁ ଚାହୁଁ ଆକାଶସାରା କଳାମେଘ ଘୋଟିଗଲା । କ୍ୟାପ୍ଟେନ୍ ଡ୍ରେକ୍ ପ୍ରତ୍ୟେକ ଜାହାଜକୁ ତାର ଯଥାସାଧ୍ୟ ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦେଲେ । ଯଦି ତୋଫାନରେ ଜାହାଜ ସବୁ ପରସ୍ପରଠାରୁ ଅଲଗା ହୋଇଯାନ୍ତି ତେବେ ପୂର୍ବରୁ ସ୍ଥିର କରାଯାଇଥିବା ଏକ ଜାଗାରେ ପୁଣି ଏକାଠି ହେବା ପାଇଁ ମଧ୍ୟ ଜଣାଇ ଦେଲେ । ପ୍ରବଳ ଝଡ଼ ତୋଫାନ ମାଡ଼ିଆସିଲା ଓ ଗମ୍ଭୀର ଗର୍ଜନ କରି ଜାହାଜ ଉପରେ ଅଜାଡ଼ି ହୋଇ ପଡ଼ିଲା । ଝଡ଼ର ପ୍ରଚଣ୍ଡ ଆଘାତରେ ଜାହାଜ ଏପରି ବୁଲିବାକୁ ଲାଗିଲା ଯେ ସମସ୍ତେ ଆଶଙ୍କା କଲେ ଜାହାଜ ନିଶ୍ଚୟ ଓଲଟିପଡ଼ିବ । ପ୍ରଚଣ୍ଡ ପବନରେ ଜାହାଜ ଉଡ଼ିଲାପରି ହୋଇଗଲା । ଉତ୍ତାଳ ତରଙ୍ଗ ମାଡ଼ିଆସିଲା । ତରଙ୍ଗ ଉପରୁ ଫେଣ ପବନରେ ଉଡ଼ିଆସି ନାବିକମାନଙ୍କ ଆଖି ବନ୍ଦ କରି ଦେଲା-। ଜାହାଜରେ ଥିବା ନାବିକମାନେ ନିଶ୍ୱାସ ନେବା କଷ୍ଟକର ହେଲା ।

 

ଚବିଶ ଘଣ୍ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଝଡ଼ ଲାଗି ରହିଲା । ସମୁଦ୍ର ଏତେ ଭୀଷଣ ହୋଇଉଠିଲା ଯେ ବେଳେ ବେଳେ ମନେହେଲା ଜାହାଜ ଆଉ ତିଷ୍ଠି ପାରିବ ନାହିଁ । ଭାଗ୍ୟକୁ ତାହା ହାଲୁକା ଏବଂ ଭେଳାପରି ହୋଇଥିବାରୁ ପାଣି ଉପରେ ଭାସି ରହିଲା । ପରଦିନ ରାତିରେ ପବନ ଅନେକ ପରିମାଣରେ କମିଗଲା । ନାବିକମାନଙ୍କର ଅଭ୍ୟସ୍ତ ଆଖିକୁ ଜଣାଗଲା ଯେ ଝଡ଼ ଶେଷ ହେବାକୁ ବସିଲାଣି । ସମୁଦ୍ର ମଧ୍ୟ ଅନେକ ପରିମାଣରେ ଶାନ୍ତ ହୋଇ ଆସିଲା । ସମସ୍ତଙ୍କ ମନରେ ଆଶା ଦେଖାଦେଲା । ଏତିକିବେଳେ ଜଣେ ନାବିକ ଚିତ୍କାର କରି ଉଠିଲା, “ଆଗରେ ଭଟ୍ଟାର ଶବ୍ଦ ଶୁଣାଯାଉଛି ।”

 

ସୁଭାଗ୍ୟକୁ ସେତେବେଳକୁ ସକାଳ ହୋଇଯାଇଥିଲା । ଝଡ଼ ଆରମ୍ଭରୁ ଅନ୍ଧାର ଏତେ ଘନ ହୋଇଯାଇଥିଲା ଯେ ଦିନ ରାତି କିଛି ବାରି ହେଉ ନ ଥିଲା । ବର୍ତ୍ତମାନ କିନ୍ତୁ ଅବସ୍ଥା ଅନେକ ଭଲ ହୋଇ ଯାଇଥିଲା । ଯଦି ବିପଦର ସମ୍ମୁଖୀନ ହେବାକୁ ପଡ଼ିବ, ତେବେ ଅନ୍ତତଃ ଆଲୋକ ଥିବ । ସେମାନେ ଦେଖିଲେ ଆଗରେ ବାମ ଏବଂ ଡାହାଣ ଉଭୟ ପାଖରେ ସମୁଦ୍ର ତୀର ଅତି ତୀର୍ଯ୍ୟକ ଓ ଉଚ୍ଚ ଦେଖାଯାଉଛି । ଜେରାଲ୍‍ଡ୍‍ ନେଡ୍‍କୁ କହିଲା, “ଜାହାଜର ଆଉ ରକ୍ଷା ନାହିଁ । ତୁମପରି ଦକ୍ଷ ପହଁରାଳି ମଧ୍ୟ ରକ୍ଷାପାଇବାର ଆଶା ନାହିଁ ।” ନେଡ୍‍ ଉତ୍ତର ଦେଲା, “ଆମେ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିବା ଏବଂ ଭଗବାନଙ୍କ ଉପରେ ଭରସା ରଖିବା । ତୁମେ ମୋ ପାଖେ ପାଖେ ଥିବ । ଯେତେବେଳେ ତୁମର ସାହାଯ୍ୟ ଲୋଡ଼ା ହେବ ମୁଁ ଯଥାସାଧ୍ୟ ସାହାଯ୍ୟ କରିବି ।”

 

ଜାହାଜର ନାବିକମାନେ ଦେଖିଲେ ଆଗରେ ନିଶ୍ଚିତ ମୃତ୍ୟୁ । ପ୍ରତିକାରର ବାଟ ନାହିଁ । ଭଗବାନ୍‍ଙ୍କ ନାମ ସ୍ମରଣ କରି ସେମାନେ ଆଘାତକୁ ଅପେକ୍ଷା କରି ରହିଲେ । ଅଳ୍ପ ସମୟ ପରେ ଜାହାଜ ପ୍ରବଳ ବେଗରେ ଭାସିଯାଇ ପଥର ଦେହରେ ପିଟି ହୋଇଗଲା ଓ ମଝିରୁ ଦୁଇଖଣ୍ଡ ହୋଇ ଭାଙ୍ଗିଗଲା, ତାପରେ ତାସର ଘର ପରି ସମୁଦାୟ ଜାହାଜଟି ଖଣ୍ଡ ଖଣ୍ଡ ହୋଇଗଲା । ନେଡ୍ ଆଉ ଜେରାଲ୍‍ଡ୍‍ ପାଖାପାଖି ପାଣିରେ ପଡ଼ି ପହଁରିବାରେ ଲାଗିଲେ । ନେଡ୍ ଜେରାଲ୍‍ଡ୍‍ ପାଖେ ପାଖେ ଥାଏ । ଘଣ୍ଟାଏ କାଳ ପହଁରି ପହଁରି ଜେରାଲ୍‍ଡ୍‍ କ୍ଳାନ୍ତ ହୋଇ ପଡ଼ିଲା । ନେଡ୍ ତାକୁ ସାହସ ଦେଉଥାଏ ଏବଂ ତା ପାଖେ ପାଖେ ରହି ତାକୁ ସାହାଯ୍ୟ କରୁଥାଏ । ଢେଉ ଭିତରୁ ବାହାରି ଆସିବା ପରେ ଜେରାଲ୍‍ଡ୍‍ ନେଡ୍ କାନ୍ଧରେ ହାତ ଦେଇ ପହଁରୁଥାଏ । ତେଣୁ ସେ ସମୟରେ ସେ କିଛି ବିଶ୍ରାମ ପାଇପାରୁଥାଏ । ଶେଷରେ ଦୁଇଟା ବଡ଼ ବଡ଼ ପଥର ମଝିରେ ଗୋଟାଏ ବାଟ ଥିଲା ପରି ନେଡ୍‍କୁ ଜଣାଗଲା । ଏଇ ବାଟ ଦେଇ ପହଁରିଯିବା ହୁଏତ ସମ୍ଭବ ହୋଇପାରେ । ଅନ୍ୟ ପ୍ରତ୍ୟେକ ସ୍ଥାନରେ ନିଶ୍ଚିତ ମରଣ ଅପେକ୍ଷା କରି ରହିଥିଲା । ଜେରାଲ୍‍ଡ୍‍ ଆଉ ନେଡ୍‍ ପାଖାପାଖି ରହି ଏହି ସ୍ଥାନ ନିକଟକୁ ଆସିଲେ ଏବଂ ଶେଷରେ ଫେଣରାଶି ଧାରରେ ପହଞ୍ଚିଲେ । ହଠାତ୍ ପାହାଡ଼ ପରି ଏକ ବିରାଟ ଢେଉ ଆସିଲା ଓ ଦୁଇବନ୍ଧୁ କଣ କରିବେ ଠିକ୍ କରିବା ପୂର୍ବରୁ ଢେଉ ତାଙ୍କୁ ପ୍ରଚଣ୍ଡ ଆଘାତରେ ସେଇ ଜଳପଥ ମଧ୍ୟକୁ ଠେଲି ନେଲା । ଟିକିଏ ପରେ ତରୁଣ ଦୁଇଜଣ ଅପେକ୍ଷାକୃତ ସ୍ଥିର ଜଳରେ ପହଞ୍ଚିଲେ । ଜେରାଲ୍‍ଡ୍‍ ପ୍ରାୟ ବୁଡ଼ିଯିବା ଉପରେ । ନେଡ୍ ତାର ମୁଣ୍ଡର ବାଳ ଧରି ଟାଣି ନେଲା । ତାପରେ ସେମାନେ ଗୋଟାଏ କଡ଼କୁ ଚାଲିଗଲେ । ସେଠି ପଥର ପଛ ପାଖରେ ପାଣି ଆହୁରି ସ୍ଥିର । ଆଉ କିଛି ସମୟ ପରିଶ୍ରମ କଲାପରେ ସେମାନେ କୂଳରେ ପହଞ୍ଚିଲେ । କଠିନ ଶ୍ରମ ହେତୁ ସେତେବେଳକୁ ସେମାନେ ଅଚେତ ପ୍ରାପ୍ତ ହୋଇଗଲେଣି । କିଛି ସମୟ ପରେ କ୍ଳାନ୍ତି ଦୂର ହୋଇଗଲା । ସେମାନେ କୂଳ ଛାଡ଼ି ସ୍ଥଳଭାଗ ଭିତରକୁ ଚାଲିଲେ ।

 

ଜେରାଲ୍‍ଡ୍‍ କହିଲା, “ନେଡ୍‍, ତମେ ମୋ ଜୀବନ ରକ୍ଷା କରିଛ । ତମ ସାହାଯ୍ୟ ବିନା ମୁଁ ଏତେ ସମୟ ପହଁରି ପାରି ନ ଥାନ୍ତି ।”

 

“ତୁମକୁ ସାହାଯ୍ୟ କରି ପାରିଥିବାରୁ ମୁଁ ଆନନ୍ଦିତ ।”–ନେଡ୍‍ ଉତ୍ତର ଦେଲା ।

 

“ଭଗବାନଙ୍କ କୃପାରୁ ଜାହାଜ ଭାଙ୍ଗିଲାବେଳକୁ ଝଡ଼ କେତେକାଂଶରେ କମିଯାଇଥିଲା । ଗଲା କାଲି ପରି ଆଜି ଝଡ଼ ହୋଇଥିଲେ ଆମେ ପାଞ୍ଚମିନିଟ୍ ମଧ୍ୟ ପହଁରି ପାରି ନ ଥାନ୍ତେ ।”

 

ତରୁଣ ଦୁହେଁ ଟିକିଏ ସୁସ୍ଥ ହେଲା ପରେ ଆଣ୍ଠୁମାଡ଼ି ବସି ଭଗବାନଙ୍କୁ ପ୍ରାର୍ଥନା କଲେ । ତାଙ୍କରି ଦୟାରୁ ସେମାନେ ଜୀବନ ପାଇପାରିଛନ୍ତି । ତା ପରେ କିଛି ସମୟ ବିଶ୍ରାମ ନେଇ ସେମାନେ ଦ୍ୱୀପର ଅଭ୍ୟନ୍ତରକୁ ଚାଲିଲେ ।

 

“ଆମର ବିପଦ ଶେଷହୋଇନାହିଁ ଜେରାଲ୍‍ଡ୍‍ ।” —ନେଡ୍ କହିଲା । “ଏଇ ଦ୍ୱୀପ ଯଦି ସ୍ପେନୀୟମାନଙ୍କର ଅଧିକାରରେ ଥିବ ତେବେ ଆମର ଅବସ୍ଥା ବଡ଼ ଶୋଚନୀୟ ହୋଇପଡ଼ିବ । ଗଲା ବର୍ଷସାରା ଆମେ ତାଙ୍କର ପ୍ରଚୁର କ୍ଷତି କରିଛେ । ସେମାନେ ଆମକୁ ଦେଖିଲେ କେବେ ଛାଡ଼ିବେ ନାହିଁ ।”

 

ସେମାନେ ଗୋଟାଏ ଉଚ୍ଚ ଜାଗାରେ ଆସି ପହଞ୍ଚିଲେ । ଦେଖିଲେ ଆଗରେ ସମୁଦ୍ର କୂଳରେ ବେଶ୍ ବଡ଼ ଏକ ସହର । ଆଶ୍ଚର୍ଯ୍ୟ ହୋଇ ସେମାନେ କିଛି ସମୟ ଅଟକି ଗଲେ । କେହି କାଳେ ଦୈବାତ୍ ତାଙ୍କୁ ଦେଖିପକାଇବ, ଏଇ ଭୟରେ ସେମାନେ ଚୁପ୍‍ଚାପ୍ ବସିଗଲେ ।

 

“କ’ଣ କରିବା ନେଡ୍ ? ଏଠି ରହିଲେ ଆମେ ଭୋକ ଉପାସରେ ମରିବା । ସହରକୁ ଗଲେ ଧରାପଡ଼ିବା ଭୟ ରହିଚି । ଏଥିରୁ କେଉଁଟା ତୁମ ମତରେ ଭଲ ?”

 

“ମୁଁ ଏଥିରୁ କୌଣସିଟାକୁ ପସନ୍ଦ କରୁନାହିଁ । ରାତି ହେଉ । ସହରକୁ ଯାଇ କିଛି ଚେଷ୍ଟା କରିବା ।” –କହିଲା ନେଡ୍ ।

 

ଦୁହେଁ ଏକ ବୁଦା ମୂଳରେ ନିଘୋଡ଼ ନିଦରେ ଶୋଇଗଲେ । ନିଦ ଭାଙ୍ଗିଲା ବେଳକୁ ରାତି ହୋଇଯାଇଥିଲା । ସହରର ଆଲୋକକୁ ଲକ୍ଷ୍ୟ କରି ଦୁହେଁ ସେ ଦିଗକୁ ଆଗେଇଗଲେ । ବାଟରେ ଚାଷ ଜମିରୁ କିଛି ଶସ୍ୟ କେଣ୍ଡା ତୋଳି ଖାଇ ଭୋକ ମାରିଲେ । ରାତି ପାହି ସକାଳ ହେଲା । ସେମାନେ ଘଞ୍ଚ ଗଛଥିବା ଏକ ଜାଗାରେ ଯାଇ ଲୁଚି ରହିଲେ । ସହରଠାରୁ ଏ ଜାଗା ପ୍ରାୟ ଦେଢ଼ ମାଇଲ ଦୂର ଥିଲା । ଭବିଷ୍ୟତ କର୍ମପନ୍ଥା ଠିକ୍ କରିବା ଯାଏ ଏଇଠି ଲୁଚି ରହିବାକୁ ଦୁହେଁ ଠିକ୍ କଲେ । ତିନିଦିନ ବିତିଗଲା । କିନ୍ତୁ କୌଣସି ପରିବର୍ତ୍ତନ ଘଟିଲା ନାହିଁ । ପ୍ରତିଦିନ ରାତି ହେଲେ ସେମାନେ ବାହାରି କ୍ଷେତରୁ ଶସ୍ୟ, ଆତ, ତରଭୁଜ ଆଦି ନେଇ ଖାଆନ୍ତି । ଦିନ ହେଲେ ତାଙ୍କର ଲୁଚିବା ଜାଗାକୁ ଚାଲିଯାଆନ୍ତି । ଏଇ ଜାଗ ପାଖ ଦେଇ ଏକ ରାସ୍ତା । ରାସ୍ତା ଶେଷରେ ଏକ ବଡ଼ ଘର । କୌଣସି ସମ୍ଭ୍ରାନ୍ତ ଲୋକଙ୍କ ଘର ପରି ଜଣାଯାଉଥିଲା । ପ୍ରତିଦିନ ସକାଳେ ଏଇ ଘରର ମାଲିକ ଘୋଡ଼ାରେ ବସି ସହର ଆଡ଼କୁ ଯାଆନ୍ତି । ତାଙ୍କ ବେଶଭୂଷା ଇତ୍ୟାଦିରୁ ଦୁହେଁ ଜାଣିଲେ ଯେ ସେ ଏଠାକାର ବଡ଼ ବ୍ୟବସାୟୀମାନଙ୍କ ଭିତରୁ ଜଣେ । ଦିନେ ତାଙ୍କ ସଙ୍ଗେ ଜଣେ ତରୁଣୀ ଯାଉଥିଲା । ତରୁଣୀକୁ ଦେଖି ବିସ୍ମିତ ହୋଇ ନେଡ୍ କହିଲା, “ଜେରାଲ୍‍ଡ୍‍, ତିନିମାସ ପୂର୍ବେ ଯେଉଁ ତରୁଣୀକୁ ମୁଁ ସମୁଦ୍ରରୁ ଉଦ୍ଧାର କରିଥିଲି ଏ ସେଇ ତରୁଣୀ ।”

 

“ସତରେ ଯଦି ତା ହୋଇଥାଏ ତେବେ ସେ ଆମକୁ ଅବଶ୍ୟ ସାହାଯ୍ୟ କରିବ ।”

 

“ବୋଧହୁଏ କରିବ । ଆମେ ସେଥିପାଇଁ ଚେଷ୍ଟା କରିବା । ଆଜି ରାତିରେ ଆମେ ତାଙ୍କ ଘର ପାଖ ବଗିଚାକୁ ଯିବା ଏବଂ ସେଠି ଲୁଚି ରହିବା । ସେ ଏକୁଟିଆ ବଗିଚାକୁ ଆସିଲେ ମୁଁ ହଠାତ୍ ତାଙ୍କ ନିକଟକୁ ଯିବି । ତାଙ୍କର ମତିଗତି କ’ଣ ଜଣାପଡ଼ିଯିବ ।”

 

ସେଇ ରାତି କିଛି ଫଳ ସଂଗ୍ରହ କରି ସାରି ତରୁଣ ଦୁଇଜଣ ବାଡ଼ ଡେଇଁ ବଗିଚା ଭିତରେ ପଶିଲେ ଓ ଘଞ୍ଚ ଗଛ ଥିବା ଏକ ସ୍ଥାନରେ ଲୁଚି ରହିଲେ । ଘଣ୍ଟାଏ ଦୁଇଘଣ୍ଟା ପରେ ସୂର୍ଯ୍ୟ ଉଦୟ ହେଲେ । ତା ସହ ସେମାନେ ଦେଖିଲେ ଯେ ତରୁଣୀ ଜଣକ ବଗିଚା ଭିତର ରାସ୍ତାରେ ଆଗେଇ ଆସୁଛି । ସେ କିନ୍ତୁ ଏକା ନ ଥିଲା । ଟିକିଏ ପଛରେ ଜଣେ ନିଗ୍ରୋ ବାଳିକା ତା ସହ କଥାବାର୍ତ୍ତା କରି ଆସୁଥିଲା । ହାତରେ ତାର କେତେକ ବହି । ସେମାନେ ଗଛ ତଳର ଏକ ଖୋଲା ଜାଗାକୁ ଆସିଲେ । ଚାକରାଣୀ ବହିଗୁଡ଼ିକ ସେଠି ରଖିଦେଲା । ତରୁଣୀ ଖଣ୍ଡେ ଚଉକିରେ ବସୁ ବସୁ କହିଲା, “ଯା, ମୋ କଫି ଏଠିକି ନେଇଆସିବୁ ।”

 

ନିଗ୍ରୋ ବାଳିକାଟି ଦୌଡ଼ି ଦୌଡ଼ି ଚାଲିଗଲା । ତରୁଣୀ ବଗିଚାର ସେଇ ଅଂଶରେ କିଛି ସମୟ ବୁଲାଚଲା କଲେ । କିଛି କ୍ଷଣ ପରେ ନିଗ୍ରୋ ଚାକରାଣୀ କଫି, ଲେମୋନେଡ୍ ଆଉ କିଛି ଫଳ ଆଣି ଟେବୁଲ ଉପରେ ସେ ସବୁ ରଖିଦେଇ ଚାଲିଗଲା । ତରୁଣ ଦୁହେଁ ଦେଖିଲେ ବର୍ତ୍ତମାନ ସେମାନଙ୍କ ପାଇଁ ସୁଯୋଗ ଆସିଗଲା । ନେଡ୍ ଏକାକୀ ଲୁଚିବା ଜାଗାରୁ ବାହାରି ଶଙ୍କିତ ଭାବରେ ତରୁଣୀଙ୍କ ବସିବା ଜାଗାକୁ ଆଗେଇଲା । ନିଜର ଅବସ୍ଥା ତା ମନରେ ଦୁର୍ବଳତା ସୃଷ୍ଟି କରୁଥାଏ । ମୁଣ୍ଡରେ ଟୋପି ନାହିଁ, ଦେହରେ ମାତ୍ର ଖଣ୍ଡେ ପ୍ୟାଣ୍ଟ ବ୍ୟତୀତ ଅନ୍ୟ କିଛି ନାହିଁ । ଜୋତା ମୋଜା ବିନା ପାଦ ଖାଲି । ମୋଟରେ ଇଂରେଜ ଜାହାଜର ସେଇ ତରୁଣ ନାବିକ ଏକ ଭିଖାରି ବାଳକ ପରି ଦେଖାଯାଉଥିଲା ।

 

ଆଗରେ ଏକ ଶ୍ୱେତାଙ୍ଗ ତରୁଣକୁ ଏପରି ଦୀନ ହୀନ ବେଶରେ ଦେଖି ତରୁଣୀଟି ଚମକି ଉଠି କହିଲା “କିଏ ତୁମେ ? ତୁମେ ଶ୍ଵେତାଙ୍ଗ ଅଥଚ ଏପରି ଦରିଦ୍ର ବେଶରେ ?”

 

ଖଣ୍ତିଆ ଖଣ୍ଡିଆ ସ୍ପେନ ଭାଷାରେ ନେଡ୍ କହିଲା, “ଝଡ଼ରେ ଆମ ଜାହାଜ ବୁଡ଼ି ଯାଇଛି-। ତୁମେ ମୋତେ ଚିହ୍ନି ପାରୁନା ? ତିନିମାସ ତଳେ ଜଣେ ତରୁଣ ତୁମକୁ ସମୁଦ୍ର ଗର୍ଭରୁ ଉଦ୍ଧାର କରିଥିଲା— ମୁଁ ସେଇ ।”

 

“ତୁମେ ତାହାହେଲେ ସେଇ ତରୁଣ ? ହଁ, ହଁ, ମୁଁ ଏବେ ତୁମକୁ ଚିହ୍ନି ପାରିଲି । ଆହା ବିଚରା ! ତୁମର ଏ ଦଶା ହେଲା କେମିତି ?”

 

ତରୁଣୀ କଥାରୁ ନେଡ୍ କିଛି ବୁଝି ପାରିଲା ନାହିଁ । କିନ୍ତୁ ତାର ଭାବଭଙ୍ଗୀରୁ ସେ ଏତିକି ଅନ୍ତତଃ ବୁଝି ପାରିଲା ଯେ ତାର ମନରେ ଦୟା ଆଉ ସମବେଦନା ଅଛି ଏବଂ ସେ ନିଶ୍ଚୟ ତାଙ୍କୁ ସାହାଯ୍ୟ କରିବ । ପୂର୍ବପରି ଦରଖଣ୍ତିଆ ସ୍ପେନ ଭାଷାରେ ନେଡ୍‍ ତାର ଦୁର୍ଦ୍ଦଶା ବର୍ଣ୍ଣନା କରିଗଲା ।

 

ସବୁ ଶୁଣି ତରୁଣୀଟି ମନେ ମନେ ଚିନ୍ତାକଲା— ଯାହାହେଉ ଭାଗ୍ୟକୁ ବାପା ନମ୍ବର୍ ଡିଡିଆସ୍‍ରୁ ଫେରି ଆସିଛନ୍ତି । ଏମାନଙ୍କୁ ମୁଁ ସାହାଯ୍ୟ ନକଲେ ଏଠାକାର ଲୋକେ ତାଙ୍କୁ ଶେଷ କରି ଦେବେ । ଏଇ ତରୁଣ କିପରି ସମୁଦ୍ର ଗର୍ଭକୁ ଡେଇଁ ମୋ ଜୀବନ ରକ୍ଷା କରିଥିଲା ତା ମୁଁ ବାପାଙ୍କୁ କହିଛି । କିନ୍ତୁ ଏଠାରେ ତାଙ୍କ ଅପେକ୍ଷା ଅଧିକ କ୍ଷମତାଶାଳୀ ଆଉ ଜଣେ ଅଛନ୍ତି— ସେ ହେଲେ ନିର୍ଦ୍ଦୟ ବିଚାରକ । ତଥାପି କିଛି ଦିନ ତାଙ୍କୁ ଏଠି ଗୋପନରେ ରଖାଯାଇ ପାରିବ । କୃତଜ୍ଞତାର ଚିହ୍ନ ସ୍ୱରୂପ ସେମାନଙ୍କ ପାଇଁ ମୋ ଦ୍ୱାରା ଯାହା ସମ୍ଭବ ମୁଁ କରିବି ।

 

ନେଡ୍ ତରୁଣୀର ମୁହଁକୁ ଲକ୍ଷ୍ୟ କରୁଥିଲା । ସେ ବୁଝି ପାରିଲା ଯେ ତରୁଣୀଟି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାକୁ ରାଜି । ତା ସହ ସେ ମଧ୍ୟ ବୁଝିଲା ଯେ ସେଥିପାଇଁ ଅନେକ ବାଧବିଘ୍ନ ଘଟିପାରେ । “ତୁମକୁ ନିଶ୍ଚୟ ଖୁବ୍ ଭୋକ ହେଉଥିବ”–ଏତିକି କହି ତରୁଣୀଟି ଗୋଟାଏ ଘଣ୍ଟା ବଜାଇଲା ଏବଂ କିଛି ସମୟ ପାଇଁ ଲୁଚି ଯିବାକୁ ନେଡ୍‍କୁ ଇଙ୍ଗିତ ଦେଲା । ଘଣ୍ଟା ଶବ୍ଦ ଶୁଣି ସେଇ ନିଗ୍ରୋ ବାଳିକା ଆସି ପହଞ୍ଚିଲା । ତରୁଣୀଟି ତାକୁ କହିଲା, “ମୁଁ ଘରକୁ ଯାଇ ପାରିବି ନାହିଁ ! ମୋ ପାଇଁ ଜଳଖିଆ ଏଠିକି ନେଇଆ । ହଁ, ମୋତେ ଖୁବ୍ ଭୋକ ଲାଗୁଛି । ତେଣୁ ଖୁବ୍ ଶୀଘ୍ର ବେଶୀକରି ଜଳଖିଆ ନେଇ ଆସିବୁ ।”

 

ବିସ୍ମିତ ହୋଇ ନିଗ୍ରୋ ବାଳିକାଟି ସେଠାରୁ ପୁଣି ଚାଲିଗଲା । ନେଡ୍ ଆଉ ଜେରାଲ୍‍ଡ୍‍ ଏଥର ତରୁଣୀ ନିକଟକୁ ଆସିଲେ । ତରୁଣୀଟି କହିଲା, “ବାପା ସହରକୁ ଯାଇଛନ୍ତି । ସେ ଫେରିଲେ ମୁଁ ତାଙ୍କୁ ସବୁକଥା କହିବି ଏବଂ କ’ଣ କରିବାକୁ ହେବ ଠିକ୍ କରିବି । ତୁମକୁ ଏଠି ଲୁଚାଇ ରଖିବା ସହଜ ନୁହେଁ । ସହରରେ ଜଣାପଡ଼ିଯିବ ଯେ ଏଠି ଦୁଇଜଣ ଇଂରେଜ ତରୁଣ ଅଛନ୍ତି । ଲୋକେ ଆସି ତୁମକୁ ଧରିନେବେ । ସେତେବେଳେ ମୁଁ ବା ବାପା ତୁମକୁ ସାହାଯ୍ୟ କରି ପାରିବୁ ନାହିଁ ।”

 

ଉପରବେଳା ମିଷ୍ଟର ସାଗାଷ୍ଟା ଘରକୁ ଫେରିଲେ । ତାଙ୍କ ଝିଅ ତାଙ୍କ ଆଗରେ ସବୁ ଘଟଣା କହିଗଲା । ତରୁଣ ଦୁଇ ଜଣକୁ ସାହାଯ୍ୟ କରିବା ପାଇଁ ଝିଅର ପ୍ରସ୍ତାବରେ ସେ ରାଜି ହେଲେ । ସେମାନଙ୍କ ପାଇଁ ଯାହାକିଛି ସମ୍ଭବ ତା ସେ ନିଶ୍ଚୟ କରିବେ । ସେ କହିଲେ, “କିନ୍ତୁ କ୍ୟାପ୍ଟେନ୍ ଡ୍ରେକ୍‍ଙ୍କ ଦଳର ଦୁଇଜଣ ତରୁଣ ଏଠାରେ ଅଛନ୍ତି ବୋଲି ଯଦି ଜଣାପଡ଼ିଯାଏ ତେବେ ସର୍ବନାଶ । ଏଠା ଲୋକଙ୍କ ହାତରୁ ଏବଂ ସାମରିକ କର୍ତ୍ତୃପକ୍ଷ ହାତରୁ ମୁକ୍ତି ମିଳିପାରେ, ତଥାପି ନିଷ୍ଠୁର ବିଚାରକ କେବେହେଲେ ଏମାନଙ୍କୁ ଛାଡ଼ିବେ ନାହିଁ । ଏଇ ବିଚାରକଙ୍କ ନିକଟରେ ଗଭର୍ଣ୍ଣରଙ୍କର ମଧ୍ୟ କୌଣସି କ୍ଷମତା ନାହିଁ । ତେଣୁ ସବୁକିଛି ଖୁବ୍ ଗୋପନରେ କରିବାକୁ ହେବ । ବଗିଚା ମାଳିର ଯେଉଁ ଘରଟା ଅଛି ସେଇଠି ଏମାନେ ଲୁଚି ରହନ୍ତୁ । ସେ ଲୋକଟାକୁ ମୁଁ ଅନ୍ୟ ଜାଗାକୁ ପଠାଇ ଦେଇ ପାରିବି । ତା ପରେ ବୁଢ଼ା ଡେଭିଡ୍‍କୁ ଆମ ହାତ ମୁଠାରେ ରଖିନେଇ ହେବ । ସେ ଏବଂ ତାର ସ୍ତ୍ରୀ ରାନ୍ଧୁଣୀ ପ୍ଳୋଇ ଖୁବ୍ ବିଶ୍ୱସ୍ତ । ଅନ୍ଧାର ହେଲା ପରେ ମୁଁ ତୋ ସହିତ ଯାଇ ଏଇ ସାହସୀ ତରୁଣଙ୍କୁ ଦେଖିଆସିବି । ୟା ଭିତରେ ଡେଭିଡ୍ ହାତରେ ସେମାନଙ୍କ ପାଇଁ ପୋଷାକ, ଯୋତା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପଠାଇଦେ ।” ମିଷ୍ଟର ସାଗାଷ୍ଟା ଏହା କହିବା ପରେ ସେଠାରୁ ଚାଲିଗଲେ ।

 

ସେ ଦିନର ସନ୍ଧ୍ୟାବେଳ । ତରୁଣ ଦୁଇଜଣ ଉଦ୍‍ବିଗ୍ନ ହୋଇ ଅପେକ୍ଷା କରିଥାନ୍ତି । ସଂଧ୍ୟାର କ୍ଷୀଣ ଆଲୋକରେ ସେମାନେ ଦେଖିଲେ ତରୁଣୀଟି ତା ବାପାଙ୍କ ସଙ୍ଗରେ ଆସୁଛି । ନିକଟକୁ ଆସି ତରୁଣୀଟି ସେମାନଙ୍କୁ କହିଲା, “ତୁମେମାନେ ନିର୍ଭୟରେ ଏଠିକି ଆସିପାର । ତୁମକୁ ରକ୍ଷା କରିବା ପାଇଁ ମୋ ବାପା ଯାହା କିଛି ସମ୍ଭବ ତା କରିବେ, କାରଣ ତୁମେ ମୋ ଜୀବନ ରକ୍ଷା କରିଛ ।”

 

ନେଡ୍ ଆଉ ଜେରାଲ୍‍ଡ୍‍ ଲୁଚିବା ଜାଗାରୁ ବାହାରି ଆସିଲେ । ମିଷ୍ଟର ସାଗାଷ୍ଟା ଦୁହିଁଙ୍କ ସଙ୍ଗେ କରମର୍ଦନ କରି ନିଜଝିଅର ଜୀବନ ରକ୍ଷା କରିଥିବାରୁ କୃତଜ୍ଞତା ପ୍ରକାଶ କଲେ । ସେମାନେ ମିଷ୍ଟର ସାଗାଷ୍ଟାଙ୍କୁ ଉଦାରତା ପାଇଁ ଧନ୍ୟବାଦ ଜଣାଇଲେ । ତାପରେ ଏକ ନିରୋଳା ରାସ୍ତରେ ଯାଇ ସେମାନେ ବଗିଚାର ଏକ ପ୍ରାନ୍ତରେ ଥିବା ଛୋଟ ଘରଟି ନିକଟରେ ପହଞ୍ଚିଲେ । ଘର ଭିତରେ ଏକ ଆଲୋକ ଜଳୁଥିଲା ଏବଂ ଜଣେ ନିଗ୍ରୋ ଭୃତ୍ୟ କାମରେ ଲାଗିଥିଲା । ସେମାନେ ଘର ଭିତରକୁ ଯାଇ ଦେଖିଲେ ସେମାନଙ୍କ ପାଇଁ ସବୁ ପ୍ରସ୍ତୁତ ହୋଇ ରହିଛି । ତରୁଣ ଦୁଇଜଣ ସ୍ନାନଘରକୁ ଯାଇ ଆରାମରେ ସ୍ନାନ କଲେ ଓ ନୂଆ ପୋଷାକ ପିନ୍ଧି ବେଶ୍ ସ୍ୱସ୍ତି ଅନୁଭବ କଲେ । ତାପରେ ପେଟଭରି ଖାଇପିଇ ସେମାନେ ଆରାମରେ ଶୋଇଗଲେ । ସେମାନଙ୍କ ନିଦ ଭାଙ୍ଗିଲା ତା ପରଦିନ ସକାଳେ । ବିଛଣାରୁ ଉଠି ସେମାନେ ପ୍ରାତଃକର୍ମ ସାରି ତରୁଣୀ ଆନାଡ଼ୋନାଙ୍କୁ ଅପେକ୍ଷା କରି ବସିରହିଲେ । ଅଳ୍ପ ସମୟ ପରେ ଆନାଡ଼ୋନା ସେମାନଙ୍କ ପାଇଁ କେତେଗୁଡ଼ିଏ ବହିଧରି ଆସି ପହଞ୍ଚିଲା । ତା ଭିତରେ ଥିଲା ଖଣ୍ଡିଏ ସ୍ପେନ ଭାଷାର ଅଭିଧାନ ଏବଂ ଖଣ୍ଡିଏ ବ୍ୟାକରଣ ବହି । ସମୟ ଅତିବାହିତ କରିବା ପାଇଁ ବହିଗୁଡ଼ିକ ତାଙ୍କର ଆବଶ୍ୟକ ହେବ ବୋଲି ତରୁଣୀ ଆନାଡ଼ୋନା କହିଲା । ତା ବ୍ୟତୀତ ସ୍ପେନଭାଷା କିଛି ଶିକ୍ଷା କରିପାରିଲେ ତାହା ତାଙ୍କୁ ବିଶେଷ ସାହାଯ୍ୟ କରିବ । ସେ ବେଳେ ବେଳେ ଆସି ସେମାନଙ୍କୁ ଏ ଭାଷା ଶିଖାଇ ଦେବ ବୋଲି ପ୍ରତିଶ୍ରୁତି ଦେଲା । କୃତଜ୍ଞତାର ସହ ତରୁଣ ଦୁଇଜଣ ଏ ଦାନଗ୍ରହଣ କଲେ । ଆନାଡ଼ୋନା ପ୍ରତିଦିନ ରାତିରେ ଆସି ସେମାନଙ୍କୁ ଘଣ୍ଟାଏ ପର୍ଯ୍ୟନ୍ତ ସ୍ପେନଭାଷା ଶିକ୍ଷା ଦିଏ । ଦିନରେ ସେମାନେ ତାହା ମୁଖସ୍ଥ କରନ୍ତି । ଏଇପରି ଏକମାସ ଅତୀତ ହୋଇଗଲା । ସେମାନେ ଜାଣିଲେ ଯେ ଯେଉଁ ଦ୍ୱୀପରେ ସେମାନେ ଆଶ୍ରୟ ନେଇଛନ୍ତି ତାହା ପୋର୍ଟୋରିକୋ । ଏହା ଏକ ବଡ଼ ଦ୍ୱୀପ ଏବଂ ହିସ୍ପାନୋଲାର ନିକଟବର୍ତ୍ତୀ ।

 

ଦୁଇ

 

ଆଉ ଏକ ମାସ ବିତିଗଲା । ଏ ଭିତରେ ନେଡ୍ ଭଲଭାବରେ ସ୍ପେନ ଭାଷା ଶିଖିଗଲାଣି । ଦିନେ ସନ୍ଧ୍ୟାରେ ଡନ୍ ସାଗାଷ୍ଟା ଘରକୁ ଫେରିଲେ । ମୁହଁରେ ତାଙ୍କର ଉଦବେଗ । “ଘଟଣା କ’ଣ ?” —ନେଡ୍ ପ୍ରଶ୍ନ କଲା ।

 

“ମୁଁ ବଡ଼ ବିବ୍ରତ ହୋଇପଡ଼ିଛି । ମୁଁ ନିଶ୍ଚିତ ଯେ ତୁମେ ଏଠିକୁ ଆସିବା ପରେ କେହି ତୁମକୁ ଦେଖିନାହିଁ । ଡେଭିଡ୍ ଏବଂ ଫ୍ଲୋରା ମୋର ଏକାନ୍ତ ବିଶ୍ୱସ୍ତ । ତେଣୁ ତୁମେ ଲୁଚି ରହିଥିବା ସେମାନଙ୍କଠାରୁ ପ୍ରକାଶ ପାଇବା ଅସମ୍ଭବ । ତଥାପି କିପରି ଜଣାପଡ଼ିଛି ଯେ ଜାହାଜବୁଡ଼ିରୁ ରକ୍ଷାପାଇ ଏ ଅଞ୍ଚଳରେ ଦୁଇଜଣ ଇଂରେଜ ଲୁଚି ରହିଛନ୍ତି । ଶୁଣିଲି ଚାରିଆଡ଼ ଟିକିନିଖି କରି ଖୋଜିବାପାଇଁ ଗଭର୍ଣ୍ଣର ଆଦେଶ ଦେଇଛନ୍ତି । ଏଇ ଦୁଇଜଣଙ୍କର ସନ୍ଧାନ ଦେବାପାଇଁ ପ୍ରଚୁର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି ।”

 

ତିନି ଦିନ ପରେ ଡନ୍ ସାଗାଷ୍ଟା ଗୋଟାଏ ନୋଟିସ୍‍ର ଖଣ୍ଡେ ନକଲ ଧରି ପହଞ୍ଚିଲେ । ସେଥିରେ ଲେଖାଥିଲା ଯେ ଇଂରେଜ ଜଳଦସ୍ୟୁମାନଙ୍କୁ ଧରିବା ବିଷୟରେ ଯେ କିଛି ସମ୍ବାଦ ଦେବ ତାକୁ ପ୍ରଚୁର ପୁରସ୍କାର ଦିଆଯିବ ! ଯେ ସେମାନଙ୍କୁ ଲୁଚାଇରଖିବ ବା ସାହାଯ୍ୟ କରିବ, ତାକୁ କଠୋର ଶାସ୍ତି ଦିଆଯିବ । ଜେରାଲ୍‍ଡ୍‍ ଏହା ଶୁଣି କହିଲା, “ଆପଣଙ୍କୁ ବିପନ୍ନ କରି ଏଠାରେ ରହିବା ଅପେକ୍ଷା ଆମେ ବରଂ ଆତ୍ମସମର୍ପଣ କରିଦେବା ଭଲ ।”

 

ଡନ୍ ସାଗାଷ୍ଟା କିନ୍ତୁ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । “ନା, ନା, ତା ହୋଇପାରେନା । ନିରାପଦରେ ରହିବାପାଇଁ ତୁମକୁ ମୁଁ ଗେଟାଏ ପ୍ରସ୍ତାବ ଦେଉଛି । ତୁମେମାନେ ସେ ପର୍ବତକୁ ଚାଲିଯିବ । ଏଠୁ ଅନେକ ଅଧିବାସୀ ଆଉ କ୍ରୀତଦାସ ପଳାଇଯାଇ ସେଇ ଜଙ୍ଗଲରେ ରହୁଛନ୍ତି । ଅବଶ୍ୟ ବେଳେ ବେଳେ ସ୍ପେନୀୟମାନେ ଜଙ୍ଗଲକୁ ଯାଇ ସେମାନଙ୍କୁ ଧରି ମାରିପକାନ୍ତି । ତଥାପି ସେମାନେ ଗୁମ୍ଫା ଏବଂ ଅନ୍ୟାନ୍ୟ ସ୍ଥାନରେ ରହନ୍ତି । ତୁମେ ବର୍ଷ ବର୍ଷ ଧରି ସେଠାରେ ରହିପାରିବ-। ଏ ବିଷୟରେ ମୁଁ ଡେଭିଡ୍ ସଙ୍ଗେ ବର୍ତ୍ତମାନ କଥାବାର୍ତ୍ତା କରିବି ।”

 

ଡେଭିଡ୍‍କୁ ପଚାରିବାରୁ ସେ କହିଲା ଯେ ସେଠୁ ଅଳ୍ପ ଦୂରରେ ଏକ ଛୋଟ ଘରେ ଜଣେ ବୁଢ଼ୀ ବାସ କରେ । ପଳାତକମାନଙ୍କ ଗତିବିଧି ସହିତ ସେ ପରିଚିତ । କୌଣସି କ୍ରୀତଦାସ ତାର କୌଣସି ପଳାତକ ବନ୍ଧୁ ନିକଟକୁ କିଛି ଖବର ପଠାଇଲେ ଏଇ ବୁଢ଼ୀ ଜରିଆରେ ତାହା ପଠାଇଥାଏ । ପଳାତକମାନଙ୍କ ସହିତ ତରୁଣ ଦୁଇ ଜଣଙ୍କର ପରିଚୟ କରାଇବାକୁ ସେଇପରି କିଛି ଉପାୟ ଅବଲମ୍ବନ କରିବାକୁ ହେବ । ନଚେତ୍ ଏଇ ଶ୍ୱେତାଙ୍ଗ ତରୁଣ ଦୁଇଜଣଙ୍କୁ ଦେଖି ସେମାନେ ହୁଏତ ପଳାଇଯିବେ କିମ୍ୱା ଏମାନଙ୍କୁ ଘେରି ମାରି ପକାଇବେ ।

 

ଡନ୍ ସାଗାଷ୍ଟ ଏ ପ୍ରସ୍ତାବରେ ରାଜି ହେଲେ ଏବଂ ଡେଭିଡ୍‍କୁ ସେଇ ବୁଢ଼ୀ ପାଖକୁ ପଠାଇଲେ । ତରୁଣ ଦୁଇଜଣଙ୍କୁ ସେଇ ପର୍ବତରେ ନେଇ ଛାଡ଼ିଦେଲେ ବୁଢ଼ୀକୁ ଯଥେଷ୍ଟ ପୁରସ୍କାର ଦିଆଯିବ ବୋଲି ମଧ୍ୟ କହିଲେ । ଡେଭିଡ୍ ଘଣ୍ଟାଏ ପରେ ଫେରି ଖବର ଦେଲା ଯେ ସବୁକଥା ଶୁଣି ବୁଢ଼ୀ ସେମାନଙ୍କୁ ସାହାଯ୍ୟ କରିବାକୁ ରାଜି ହୋଇଛି ।

 

ତରୁଣ ଦୁଇଜଣ ବିଦାୟ ନେଲା ବେଳେ ଆନାଡ଼ୋନା ମନରେ ଗଭୀର ଦୁଃଖ । ନେଡ୍ ତାର ଜୀବନ ରକ୍ଷା କରିଛି । ଦୁଇ ମାସର ଦେଖା ଚାହାଁ ଭିତରେ ଦୁହିଁଙ୍କ ସହିତ ତାର ଅନ୍ତରଙ୍ଗ ବନ୍ଧୁତା ହୋଇଯାଇଥିଲା । ଡନ୍ ସାଗାଷ୍ଟ ପ୍ରତ୍ୟେକଙ୍କୁ ଦୁଇଟି କରି ପିସ୍ତଲ ଏବଂ ଗୋଟିଏ କରି ତରବାରି ଦେଲେ । ତା ବ୍ୟତୀତ କିଛି ଖାଦ୍ୟ ଦ୍ରବ୍ୟ ଏବଂ କିଛି ଅର୍ଥ ମଧ୍ୟ ଦେଲେ । ନେଡ୍ ଆଉ ଜେରାଲ୍‍ଡ୍‍ ଗଭୀର କୃତଜ୍ଞତା ପ୍ରକାଶକରି ସେମାନଙ୍କଠାରୁ ବିଦାୟ ନେଲେ । ଡେଭିଡ୍‍ ସଙ୍ଗେ ଦୁହେଁ ଯାଇ ବୁଢ଼ୀର ଘର ପାଖରେ ପହଞ୍ଚିଲେ । କାଠଗଡ଼ ସବୁ ପାଖାପାଖି ପୋତାହୋଇ ଘରଟି ତିଆରି ହୋଇଥିଲା । ସେମାନଙ୍କର ପାଦଶବ୍ଦ ଶୁଣି ବୁଢ଼ୀ ଘର ଭିତରୁ ବାହାରିଆସିଲା । ତା ହାତରେ ଏକ ନିଆଁ ହୁଳା । ମୁଣ୍ଡରେ ଲମ୍ବା ଧଳା ବାଳ, ମୁହଁରେ ପଳେହେଲେ ମାଉଁସ ନାହିଁ । ମୁହଁଟା ମଣିଷ ମୁହଁ ବୋଲି ଜାଣି ହେବ ନାହିଁ । ଏ ଭଳି ବୁଢ଼ୀ ସେମାନେ କେବେ ଦେଖି ନ ଥିଲେ-। ବୁଢ଼ୀ ସେମାନଙ୍କ ଆଡ଼କୁ ନିରିଖେଇ ଚାହିଁଲା ଏବଂ ଡେଭିଡ୍‍କୁ କଣ କହିଲା । ଡେଭିଡ୍‍ ତାହା ଅନୁବାଦ କରି ସେମାନଙ୍କୁ ବୁଝାଇଦେଲା— “ଏଇମାନେ ତେବେ ଇଂରେଜ ? ଆମେ ସ୍ପେନୀୟମାନଙ୍କୁ ଯେମିତି ଭୟକରୁ ସ୍ପେନୀୟମାନେ ଏମାନଙ୍କୁ ସେଇପରି ଭୟ କରନ୍ତି । ଏମାନେ ମଧ୍ୟ ଅତ୍ୟାଚାରୀ ସ୍ପେନୀୟମାନଙ୍କ ପରି ଦେଖାଯାଉଛନ୍ତି; କିନ୍ତୁ ଟିକିଏ ଅଧିକ ଗୋରା ଏବଂ ଆଖି ନୀଳବର୍ଣ୍ଣ । ଏଠି ମୋ ପାଖରେ ଏକ ବାଳକ ଅଛି । ସେ ଏମାନଙ୍କୁ ନେଇ ପଳାତକମାନଙ୍କ ରହିବା ଜାଗା ଦେଖାଇଦେବ । ସେଠାରେ ଏମାନେ ବେଶ୍ ଭଲ ବ୍ୟବହାର ପାଇବେ । ମୁଁ ତାଙ୍କର ମୁଖିଆଙ୍କ ନିକଟକୁ ଖବର ପଠାଇଦେଇଛି । ଏମାନେ ଶ୍ଵେତାଙ୍ଗମାନଙ୍କ ଯୁଦ୍ଧକୌଶଳ ଜାଣନ୍ତି । ତେଣୁ ଏଇ ସ୍ପେନୀୟ କୁକୁରମାନଙ୍କ ଆକ୍ରମଣ ପ୍ରତିହତ କରିବାରେ ଏମାନେ ମୋ ଜାତିର ଲୋକଙ୍କୁ ସାହାଯ୍ୟ କରିପାରିବେ ।”

 

ବୁଢ଼ୀ ପଛରେ ପ୍ରାୟ ତେର ବର୍ଷର ଏକ ବାଳକ ଠିଆ ହୋଇଥିଲା । ବୁଢ଼ୀ ତା କଥା ସାରି ଘର ଭିତରକୁ ଚାଲିଗଲା । ବାଳକଟି ଅବିଳମ୍ବେ ଯିବା ପାଇଁ ବାହାରିଲା । ତରୁଣ ଦୁଇଜଣ ଡେଭିଡ୍‍ର ଦୟା ପାଇଁ କୃତଜ୍ଞତା ପ୍ରକାଶ କରି ତାଙ୍କର ପଥପ୍ରଦର୍ଶକ ପଛରେ ଅନ୍ଧାର ଭିତରକୁ ଆଗେଇ ଚାଲିଲେ । କେତେ ଘଣ୍ଟାଯାଏ ସେମାନେ ଅବିଶ୍ରାନ୍ତ ଭାବରେ ଚାଲିବାରେ ଲାଗିଲେ । କେତେବେଳେ ସେମାନେ ଖୁବ୍ ଜୋରରେ ଚାଲୁଥାନ୍ତି, ପୁଣି କେତେବେଳେ ଧୀର ଗତିରେ ଚାଲୁଥାନ୍ତି । ଅନ୍ଧାର ରାତି । କିନ୍ତୁ ତାଙ୍କର ପଥପ୍ରଦର୍ଶକ ବାଳକ ବିନା ବାଧାରେ ଆଗେଇ ଚାଲିଥାଏ । ସମତଳ ଅଞ୍ଚଳ ଦେଇ କିଛି ଦୂର ଗଲା ପରେ ସେମାନେ ଉପରକୁ ଉଠିବାକୁ ଆରମ୍ଭ କଲେ । ପ୍ରାୟ ଦୁଇଘଣ୍ଟା ଯାଏ ସେମାନେ ଏକ ପାହାଡ଼ ଉପରକୁ ଉଠିବାରେ ଲାଗିଲେ । ପାହାଡ଼ଟା ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ । ତା’ପରେ ବାଳକଟି ଚାଲିବା ବନ୍ଦକରି ଇଙ୍ଗିତରେ ଜଣାଇଲା ଯେ ସେ ଆଉ ଚାଲିବାକୁ ଅକ୍ଷମ ଏବଂ କିଛି ସମୟ ବିଶ୍ରାମ ଦରକାର; ମାତ୍ର କେତେ ମିନିଟ୍ ପରେ ତିନିଜଣଯାକ ନିଘୋଡ଼ ନିଦରେ ଶୋଇଗଲେ ।

 

ରାତି ପାହୁ ନ ପାହୁଣୁ ବାଳକଟିର ନିଦ ଭାଙ୍ଗିଗଲା । ସେ ତାର ସାଥୀ ଦୁଇ ଜଣଙ୍କୁ ଉଠାଇ ଦେଇ ଡାହାଣ ପାଖର ଏକ ଅତି ଉଠାଣିଆ ରାସ୍ତାରେ ଚାଲିବାକୁ ଲାଗିଲା । ରାତିରେ ସେମାନେ ଆସିଥିବା ରାସ୍ତା ଅପେକ୍ଷା ଏହା ଯଥେଷ୍ଟ ବେଶୀ ଉଠାଣିଆ । ସେମାନେ ଯେତିକି ଆଗକୁ ଚାଲିଲେ ଜଙ୍ଗଲ ସେତିକି ପତଳା ହୋଇଆସିଲା । ଶେଷରେ ସେମାନେ ବୃକ୍ଷଶୂନ୍ୟ ଏକ ପାହାଡ଼ ଉପରକୁ ଉଠି ତାର ଶିଖର ନିକଟରେ ପହଞ୍ଚିଲେ । ବାଳକଟି କିଛି ଶୁଖିଲା କାଠ ଓ ପତ୍ର ସଂଗ୍ରହ କରି ସେଥିରେ ନିଆଁ ଲଗାଇ ଦେଲା । ନିଆଁ ଜଳି ଉଠିବାରୁ ନିଆଁ ଉପରେ କିଛି କଞ୍ଚା ପତ୍ର ପକାଇ ଦେବାରୁ କେବଳ ଗୁଡ଼ାଏ ଧୂଆଁ ଉଠିଲା । ଏହି ଧୂଆଁ ପାଞ୍ଚ ମିନିଟ୍ ଭିତରେ ଅନେକ ଉଚ୍ଚକୁ ଉଠିଯିବା ପରେ ସେ ନିଆଁ ପୂରା ଲିଭାଇ ଦେଲା । ବାଳକଟି ତା’ପରେ ଠିଆ ହୋଇ ବ୍ୟଗ୍ର ଭାବରେ ଚାରି ଆଡ଼କୁ ଚାହିଁଲା । ଦୂରରେ ଦୁଇ ଜାଗାରେ ଧଳା ଧୂଆଁ ଉପରକୁ ଉଠିଲା । ଏହା ମଧ୍ୟ ଖୁବ୍ ଶୀଘ୍ର ବନ୍ଦ ହୋଇଗଲା । ନେଡ୍ ଆଉ ଜେରାଲ୍‍ଡ୍‍ ବୁଝିଲେ ଯେ ଏ ନିଆଁ ତାଙ୍କ ନିଆଁର ଉତ୍ତର ।

 

କେଉଁ ଦିଗକୁ ଯିବ ବାଳକଟି କିଛିକ୍ଷଣ ଚିନ୍ତା କଲା । ନିଆଁ ଜଳିବା ଜାଗା ମଧ୍ୟରୁ ଗୋଟାଏ ନିକଟତର ପରି ଜଣାଗଲା । ତେଣୁ ବାଳକଟି ସିଧାସଳଖ ସେଇ ଦିଗରେ ଯିବାକୁ ଆରମ୍ଭ କଲା । ଦୁଇ ଘଣ୍ଟା ପରେ ସେମାନେ ଏକ ଖୋଲା ଜାଗାରେ ପହଞ୍ଚିଲେ । ସେଠି ଦଶ ବାରଜଣ ଆଦିମ ଅଧିବାସୀ ଏବଂ ଦୁଇ ତିନିଜଣ ନିଗ୍ରୋ ବସିଥିଲେ । ସେମାନେ ଦୁଇଜଣ ଶ୍ଵେତାଙ୍ଗ ଲୋକଙ୍କୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ବାଳକଟି କିଛି ସମୟ ଯାଏ ଖୁବ୍ ଉତ୍ତେଜିତ ଭାବେ କଣ ସବୁ କହିଗଲା । ତା ଶୁଣି ସେହି ସ୍ଥାନୀୟ ଅଧିବାସୀ ପଶ୍ଚିମ ଭାରତୀୟମାନଙ୍କ ମୁହଁ ଆନନ୍ଦରେ ଉଜ୍ଜ୍ୱଳ ଦେଖାଗଲା । ସେ ଦଳର ନେତା ସଂକେତଦ୍ୱାରା ତରୁଣ ଦୁହିଁକୁ ସ୍ୱାଗତ କଲା । ଜଣେ ନିଗ୍ରୋ ମଧ୍ୟ ସେମାନଙ୍କ ନିକଟକୁ ଆସି ଭଙ୍ଗା ଭଙ୍ଗା ସ୍ପେନ ଭାଷାରେ ପଚାରିଲା, ‘ସେମାନେ ଏ ଭାଷା ଜାଣନ୍ତି କି ?’ ତରୁଣ ଦୁଇଜଣ ହଁ କରି ସେମାନଙ୍କର ସମସ୍ତ ହାଲଚାଲ କହିଗଲେ । ନିଗ୍ରୋ ଲୋକଟି ତରୁଣ ଦୁଇଜଣଙ୍କ କଥା ଅନ୍ୟମାନଙ୍କୁ ବୁଝାଇଦେଲା । ତାପରେ ସେମାନଙ୍କୁ ସ୍ୱାଗତ କରି ସେ କହିଲା ଯେ, ସ୍ପେନୀୟମାନଙ୍କର ପରମଶତ୍ରୁ ଇଂରେଜ ଜାତିର ଦୁଇଜଣ ତରୁଣଙ୍କର ଆଗମନରେ ସେମାନେ ଖୁବ୍ ଆନନ୍ଦିତ । ତରୁଣ ଦୁଇଜଣ ପ୍ରତିଶ୍ରୁତି ଦେଲେ ଯେ ଯଦି ସ୍ପେନୀୟମାନେ କେବେ ସେମାନଙ୍କୁ ଆକ୍ରମଣ କରନ୍ତି, ତେବେ ଦୁହେଁ ସେମାନଙ୍କୁ ପୂର୍ଣ୍ଣ ପ୍ରାଣରେ ସାହାଯ୍ୟ କରିବେ ।

 

ଏହି ଦଳଟି ଜଙ୍ଗଲ ଭିତରକୁ ଚାଲିଲା । କିଛି ସମୟ ପରେ ସେମାନେ ଏକ ସଂକୀର୍ଣ୍ଣ ଗିରିପଥ ପାରହୋଇ ଗୋଟିଏ ଛୋଟ ଉପତ୍ୟକାରେ ପହଞ୍ଚିଲେ । ଏଠାରେ ଛୋଟ ଛୋଟ କୁଡ଼ିଆଘରଗୁଡ଼ିଏ ତିଆରି ହୋଇଥିଲା । ପଳାତକମାନଙ୍କ ମଧ୍ୟରୁ କେତେକ ଏଠାରେ ରହୁଥିଲେ ।

 

ଦୁଇ ବନ୍ଧୁ ଏଠାରେ କିଛି ଦିନ ଅତିବାହିତ କଲେ । ସ୍ଥାନୀୟ ଲୋକମାନଙ୍କ ସଙ୍ଗେ କଥାବାର୍ତ୍ତା କରିବାପାଇଁ ପ୍ରଥମେ ସେ ଲୋକମାନଙ୍କ ଭାଷା ଶିଖିବାକୁ ଚେଷ୍ଟା କଲେ । ସେମାନଙ୍କ ଖାଦ୍ୟ ଭିତରେ ଫଳମୂଳ, ଆଳୁଜାତୀୟ ଫସଲ ଓ ପକ୍ଷୀମାଂସ ପ୍ରଧାନ ଥିଲା । ତୀର ମାରିବାରେ ଆଦିମ ଅଧିବାସୀମାନେ ନିପୁଣ ଥିଲେ । ସେମାନଙ୍କ ଲକ୍ଷ୍ୟ ଅବ୍ୟର୍ଥ ଥିଲା । ତରୁଣ ଦୁଇଜଣ ଦେଖିଲେ ଯେ ଉପଯୁକ୍ତ ନେତୃତ୍ୱ ଦିଆଗଲେ ସେମାନେ ସ୍ପେନୀୟମାନଙ୍କୁ ଦୃଢ଼ ପ୍ରତିରୋଧ କରିପାରିବେ ।

 

ତିନି ସପ୍ତାହ ପରେ ତରୁଣ ଦୁହେଁ ତାଙ୍କର ସାଥୀମାନଙ୍କ ସହିତ ଅନ୍ୟ ଏକ ସ୍ଥାନକୁ ଗଲେ । ସେଠାରେ ପଳାତକମାନେ ଏକତ୍ରିତ ହୋଇଥିଲେ । ସେଠି ପ୍ରାୟ ଶହେ ଜଣ ସ୍ଥାନୀୟଲୋକ ଏବଂ ଚାଳିଶ ପଚାଶ ଜଣ ପଳାତକ ନିଗ୍ରୋ ଜମା ହୋଇଥିଲେ । ଏଇ ନିଗ୍ରୋମାନଙ୍କ ଜରିଆରେ ସେମାନେ ସ୍ଥାନୀୟ ଲୋକଙ୍କୁ ବୁଝାଇ ଦେଲେ ଯେ ସେମାନଙ୍କୁ କେତେକ ଦୃଢ଼ସ୍ଥାନ ତିଆରି କରିବାକୁ ପଡ଼ିବ ଓ ଆବଶ୍ୟକ ହେଲେ ସେମାନେ ସେ ସ୍ଥାନକୁ ପଳାଇଯାଇ ଶତ୍ରୁର ପ୍ରତିରୋଧ କରିପାରିବେ ।

 

ଦିନେ ସକାଳେ ନିଦରୁ ଉଠିଲାବେଳକୁ ଦୁଇବନ୍ଧୁ ତାଙ୍କ ସାଥୀମାନଙ୍କର କୋଳାହଳ ଶୁଣିପାରିଲେ ।

 

“କଥା କ’ଣ ?” —ସେମାନେ ପଚାରିଲେ ।

 

ଜଣେ ନିଗ୍ରୋ ଅଳ୍ପ ଦୂରରେ ଥିବା ଦୁଇଟା ପାହାଡ଼ ଶିଖ ଆଡ଼କୁ ହାତ ଠାରି ଦେଖାଇ ଦେଲା । ସେଠାରୁ ଧୂଆଁ ଉପରକୁ ଉଠୁଥିଲା ।

 

“ୟାର ଅର୍ଥ କ’ଣ ?”

 

“ଏହା ସ୍ପେନୀୟମାନଙ୍କ ଆଗମନର ସଂକେତ । ନିଶ୍ଚୟ କୌଣସି ପଳାତକ ପଛରେ ସେମାନେ ଗୋଡ଼ାଇଛନ୍ତି । ବୋଧହୁଏ ସେ ଭୟଙ୍କର କୁକୁରଗୁଡ଼ାକ ତାଙ୍କ ସାଥିରେ ଥିବେ । କୁକୁର ବିନା ସ୍ପେନୀୟମାନେ ଏ ପାହାଡ଼ ମଧ୍ୟରେ କିଛି କରିପାରିବେ ନାହିଁ । ଅତି ଘଞ୍ଚ ଜଙ୍ଗଲ ଭିତରେ ମଧ୍ୟ ଏଇ କୁକୁର ତାଙ୍କର ଶିକାର ପଛରେ ଗୋଡ଼ାଇପାରନ୍ତି ।”

 

କିଛି ସମୟ ପରେ ଖୁବ୍ ଦୂରରେ କୁକୁର ଭୁକିବା ଶବ୍ଦ କ୍ଷୀଣଭାବରେ ଶୁଣାଗଲା । ମାତ୍ର କେତେ ମିନିଟ୍ ପରେ ଅଣନିଶ୍ୱାସୀ ହୋଇ ଜଣେ ନିଗ୍ରୋ ଦଉଡ଼ି ଦଉଡ଼ି ଆସି ସେଠାରେ ପହଞ୍ଚିଲା-। ଅନ୍ୟ ନିଗ୍ରୋମାନେ ତାକୁ ଦେଖି ବିସ୍ମିତ ହୋଇଗଲେ । ଲୋକଟା ଚିତ୍କାର କରିଉଠିଲା, “ମୋତେ ରକ୍ଷାକର । ସେମାନେ ମୋ ପଛରେ ଗୋଡ଼ାଇଛନ୍ତି ।”

 

“ସେମାନେ କେତେ ଜଣ ?” –ନେଡ୍‍ ପଚାରିଲା ।

 

ଲୋକଟା ସ୍ପେନୀୟଭାଷା କହୁଥିବା ଜଣେ ଶ୍ୱେତାଙ୍ଗକୁ ଦେଖି ଚମକି ପଡ଼ିଲା । କିନ୍ତୁ ତାର ସାଥୀମାନେ ନିର୍ଭୟରେ ଠିଆ ହୋଇଥିବାର ଦେଖି ତା ମନରେ ଦମ୍ଭ ଆସିଲା । ସେ ଉତ୍ତର ଦେଲା, “ସେମାନେ ପ୍ରାୟ କୋଡ଼ିଏ ଜଣ ହେବେ । ତାଙ୍କ ସାଥିରେ ଦୁଇଟା କୁକୁର ଅଛନ୍ତି ।”

 

ପାଖରେ ଥିବା ନିଗ୍ରୋମାନଙ୍କୁ ଚାହିଁ ନେଡ୍‍ କହିଲା, “ଚାଲ, ଏଥର ଆମେ ତାଙ୍କୁ ଠିକଣା ଶିକ୍ଷା ଦେବା । ବର୍ତ୍ତମାନ ଆମର ଶକ୍ତି ଦେଖାଇବା ବେଳ ଆସିଯାଇଛି । ସେମାନେ ଯେତେବେଳେ ଦେଖିବେ ଯେ ଏ ଜଙ୍ଗଲକୁ ଆସିଲେ ଅକ୍ଷତ ଭାବରେ ଫେରିବେ ନାହିଁ, ସେମାନେ ଆଉ କୌଣସି ପଳାତକ ପଛରେ ଗୋଡ଼ାଇବାକୁ ସାହସ କରିବେ ନାହିଁ ।”

 

ନିଗ୍ରୋମାନେ ଭୟ କରୁଥିଲେ ମଧ୍ୟ ତରୁଣ ଇଂରେଜ ଦୁଇଜଣଙ୍କ କଥାରେ ଉତ୍ସାହିତ ହେଲେ । ସଂକ୍ଷେପରେ ନେଡ୍‍ ତାର ଉଦ୍ଦେଶ୍ୟ ବୁଝାଇ କହିଲା, “ଆମେମାନେ ସେଇ ସଂକୀର୍ଣ୍ଣ ଗିରିପଥ ନିକଟରେ ପାହାଡ଼ ଉପରେ ରହିବା ଓ ସ୍ପେନୀୟମାନେ ଆସିଲେ ଉପରୁ ପଥର ଗଡ଼ାଇ ସେମାନଙ୍କୁ ମାରିଦେବା ।”

 

ଖୁବ୍ ଶୀଘ୍ର ସେମାନେ ପାହାଡ଼ ଉପରେ ନିଜ ନିଜ ସ୍ଥାନରେ ରହିଗଲେ । ସେତେବେଳକୁ କୁକୁରଗୁଡ଼ାଙ୍କର ଗର୍ଜନ କ୍ରମେ ବଢ଼ିବାରେ ଲାଗିଲାଣି । ମାତ୍ର ତିନି ଚାରି ମିନିଟ୍ ପରେ ପ୍ରାୟ କୋଡ଼ିଏ ଜଣ ଲୋକଙ୍କର ଏକ ଦଳ ଜଙ୍ଗଲରୁ ବାହାରି ଆସିଲା । ଆଗେ ଆଗେ ଦୁଇଟା ଭୟଙ୍କର କୁକୁର, ଚେନରେ ବନ୍ଧା ହୋଇଥାନ୍ତି । କୁକୁର ଦୁଇଟା ଆଗକୁ ମାଡ଼ିଯିବା ପାଇଁ ଉଚ୍ଛନ୍ନ ହେଉଥାନ୍ତି । ଦଳର ଲୋକମାନେ ଘୋଡ଼ାରେ ଚଢ଼ି ଆସୁଥାନ୍ତି । ସେମାନେ ଆସି ସେଇ ସଂକୀର୍ଣ୍ଣ ଗିରିପଥ ମୁହଁରେ ପହଞ୍ଚିଲେ । ଏଠି ସେମାନଙ୍କୁ ମାତ୍ର ଦୁଇଟି ଧାଡ଼ିରେ ଯିବାକୁ ପଡ଼ିଲା । ବେଳେ ବେଳେ ମାତ୍ର ଗୋଟିଏ ଧାଡ଼ିରେ ଯିବାକୁ ମଧ୍ୟ ପଡ଼ିଲା । ସେଇ ସଂକୀର୍ଣ୍ଣ ପଥ ବଡ଼ ବଡ଼ ପଥରରେ ପୂର୍ଣ୍ଣ ଥିଲା । ଦୁଇକଡ଼ ଖୁବ୍ ତୀର୍ଯ୍ୟକ । ସ୍ପେନୀୟମାନେ ଏଇ ସଂକୀର୍ଣ୍ଣ ପଥରେ ବେଶ୍ କିଛି ଦୂର ଆସିବା ପରେ ନେଡ୍ ସଂକେତ ଦେଲା ଏବଂ ଦୁଇ ପାଖର ପାହାଡ଼ ଉପରୁ ସ୍ପେନୀୟମାନଙ୍କ ଉପରେ ବଡ଼ ବଡ଼ ପଥର ସବୁ ବୃଷ୍ଟି ହେବାକୁ ଲାଗିଲା । ସେମାନେ ଏକାବେଳକେ ବିସ୍ମିତ ହୋଇଗଲେ । ପଥର ଆଘାତରେ କେତେ ଜଣ ଲୋକ ଓ କେତେଟା ଘୋଡ଼ା ମରିପଡ଼ିଲେ । ଫଳରେ ସ୍ପେନୀୟଙ୍କ ଭିତରେ ବିଶୃଙ୍ଖଳା ଦେଖାଗଲା । କିନ୍ତୁ ସ୍ପେନୀୟମାନେ ଯୁଦ୍ଧ କରିବାରେ ଅଭ୍ୟସ୍ତ । ହଠାତ୍ ଦଳର ଅଧିନାୟକ କିଛି ଆଦେଶ ଦେଲେ ଓ ସଙ୍ଗେ ସଙ୍ଗେ ସେ ଦଶଜଣଙ୍କୁ ଧରି ପାହାଡ଼ ଉପରକୁ ଉଠିବାକୁ ଆରମ୍ଭ କଲେ । ଅନ୍ୟମାନେ ଘୋଡ଼ାଗୁଡ଼ାଙ୍କୁ ଧରି ଗିରିପଥର ମୁହଁକୁ ଫେରିଲେ । ସ୍ପେନୀୟମାନଙ୍କୁ ପାହାଡ଼ ଉପରକୁ ଉଠିବାର ଦେଖି କେତେକ କ୍ରୀତଦାସ ଭୟଭୀତ ହୋଇ ଦୌଡ଼ି ପଳାଇ ଗଲେ । ଅନ୍ୟମାନେ ଦମ୍ଭଧରି ଠିଆ ହୋଇ ରହିଲେ ମଧ୍ୟ ମନରେ ତାଙ୍କର ପୂର୍ଣ୍ଣଭୀତି । ସ୍ପେନୀୟମାନଙ୍କୁ ଉପରକୁ ଉଠି ଆସୁଥିବା ଦେଖି ନେଡ୍ ଲକ୍ଷ୍ୟ ସ୍ଥିର ରଖି ପିସ୍ତଲ ଫୁଟାଇଲା । ଗୁଳି ମାଡ଼ରେ ଆଗରେ ଆସୁଥିବା ଲୋକଟି ଢଳି ପଡ଼ିଲା । ଏହା ଦେଖି ସ୍ପେନୀୟମାନେ ବିସ୍ମିତ ହୋଇଗଲେ ଏବଂ ସେମାନଙ୍କର ଉପରକୁ ଉଠିବା ହଠାତ୍ ବନ୍ଦହୋଇଗଲା । ତାପରେ ନେଡ୍ ଇଂରାଜି ଭାଷାରେ କହିଲା, “ହେ ବୀର ଇଂରେଜ ଗଣ ! ସ୍ପେନୀୟମାନଙ୍କୁ ଦେଖାଇ ଦିଅ ଯେ ତୁମେ ଜଳ ଭାଗରେ ଯେପରି ସ୍ଥଳ ଭାଗରେ ମଧ୍ୟ ସେହିପରି ଯୁଦ୍ଧ କରିପାର ।”

 

ସ୍ପେନୀୟମାନେ ଜାଣିଲେ ଯେ କେତେକ ଇଂରେଜ ସେ ସ୍ଥାନରେ ଅଛନ୍ତି । ସେମାନେ ଭୟରେ କାଠ ପାଲଟିଗଲେ । ସେମାନେ ପଛକୁ ହଟିବାକୁ ଆରମ୍ଭ କଲେ । ନିଗ୍ରୋମାନଙ୍କୁ ଉତ୍ସାହିତ କରିବା ପାଇଁ ଏହାହିଁ ଦର୍କାର ଥିଲା । ଗର୍ଜନ କରି ସେମାନେ ସ୍ପେନୀୟମାନଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସିଲେ । ତୀର ଏବଂ ପଥର ଆଘାତରେ ବ୍ୟତିବ୍ୟସ୍ତ ହୋଇ ଶତ୍ରୁପକ୍ଷ ଛତ୍ରଭଙ୍ଗ ଦେଇ ପଳାଇବାକୁ ଲାଗିଲା । ସମସ୍ତ ସ୍ପେନୀୟ ମରିଥାନ୍ତେ; କିନ୍ତୁ ଠିକ୍ ସେତିକି ବେଳକୁ ସୈନ୍ୟ ଦଳର ଅନ୍ୟ ଭାଗଟି କୁକୁର ଦୁଇଟି ସହ ଆସି ତାଙ୍କ ନିକଟରେ ପହଞ୍ଚିଗଲେ ।

 

ନେଡ୍ ଚିତ୍କାର କରି ଉଠିଲା— ‘‘ଭୟ କରନାହିଁ । ଏଇ କୁକୁରଗୁଡ଼ାଙ୍କୁ ଆମେ ଘୁଷୁରି ପରି ମାରିଦେଇପାରିବା । ସାହସର ସହ ଆକ୍ରମଣ କର ।”

 

କୁକୁର ଦୁଇଟା ଅତି ହିଂସ୍ର ଏବଂ ଭୟଙ୍କର । ହଠାତ୍ ଡେଇଁପଡ଼ି ସେ ଦୁଇଟା ଦୁଇଜଣ ନିଗ୍ରୋଙ୍କ ତଣ୍ଟି କାମୁଡ଼ି ତାଙ୍କୁ ତଳେ ପକାଇ ଦେଲେ । ଜେରାଲ୍‍ଡ୍‍ ସଙ୍ଗେ ସଙ୍ଗେ ଗୁଳିକରି ଗୋଟାଏ କୁକୁରକୁ ଶେଷ କରିଦେଲା । ନେଡ୍ ତରବାରି ଧରି ଅନ୍ୟଟାକୁ ଆକ୍ରମଣ କଲା । ନିଗ୍ରୋମାନେ ତା ସହିତ ମିଶି କୁକୁରଟାକୁ ମାରିଦେଲେ । ଏଇ ଅବସରରେ ଭୀତ ସ୍ପେନୀୟମାନେ ସେମାନଙ୍କ ଘୋଡ଼ାରେ ବସି ଅତି ଦ୍ରୁତ ଗତିରେ ପଳାଇଲେ ।

 

ତିନି

 

ଯୁଦ୍ଧରେ ଜୟଲାଭ କରି ନିଗ୍ରୋମାନେ ଅତ୍ୟନ୍ତ ଆନନ୍ଦିତ ହେଲେ । ସ୍ଥାନୀୟ ଅଧିବାସୀମାନେ ମଧ୍ୟ ଆସି ସେମାନଙ୍କ ସହିତ ଯୋଗଦେଲେ । ନେଡ୍ ସେମାନଙ୍କୁ କହିଲା, “ଭାଇମାନେ, ଯୁଦ୍ଧ ଶେଷ ହୋଇଗଲା ବୋଲି ମନେ କର ନାହିଁ । ସ୍ପେନୀୟମାନେ ଆଜିର ଖବର ସହରରେ ପ୍ରଚାର କରିବେ । ତେଣୁ ଯେତେଦୂର ସମ୍ଭବ କିଛିଦିନ ପରେ ଆମ ଉପରେ ଗୋଟାଏ ବଡ଼ ଧରଣର ଆକ୍ରମଣ ହେବ । ଆମେ ଶେଷ ପର୍ଯ୍ୟନ୍ତ ଯୁଦ୍ଧରେ ଜୟଲାଭ କରିବାକୁ ହେଲେ ପରିଶ୍ରମ, ଶୃଙ୍ଖଳା ଏବଂ ସାହସ ଏକାନ୍ତ ଆବଶ୍ୟକ ।”

 

ସେମାନଙ୍କର ଅଧିନାୟକ ହେବାପାଇଁ ନିଗ୍ରୋମାନେ ତରୁଣ ଦୁଇଜଣଙ୍କୁ ଅନୁରୋଧ କଲେ ଏବଂ ସମସ୍ତେ ତାଙ୍କ ଆଦେଶ ପାଳନ କରିବାପାଇଁ ପଣ କଲେ ।

 

ନେଡ୍, ନିଗ୍ରୋ ଏବଂ ସ୍ଥାନୀୟ ଲୋକଙ୍କୁ ସେମାନଙ୍କର ଭବିଷ୍ୟତ କର୍ମପନ୍ଥା ବୁଝାଇ କହିଲା, “ଯେଉଁ ଜାଗାମାନଙ୍କରେ ଶତ୍ରୁକୁ ହଇରାଣ କରି ହେବ ସେଠାରେ ଯଥେଷ୍ଟ ପରିମାଣରେ ଅସ୍ତ୍ରଶସ୍ତ୍ର ଜମା କରିବାକୁ ହେବ । ବିଶେଷ ପ୍ରୟୋଜନ ନହେଲେ ଯୁଦ୍ଧ କରିବା ନାହିଁ । ଛୋଟ ଛୋଟ ଦଳ ଆମ ପଛରେ ଗୋଡ଼ାଇଲା ବେଳେ ସେମାନଙ୍କ ସଙ୍ଗେ ଯୁଦ୍ଧ କରିବା ଏବଂ ବଡ଼ ଦଳ ସଙ୍ଗେ ଯୁଦ୍ଧ ନ କରି ଲୁଚିଯିବା । ଯେତେବେଳେ ଶତ୍ରୁ ଦେଖିବ ଯେ ବହୁ ସଂଖ୍ୟାରେ ଆସିଲେ ସେମାନେ ଆମକୁ ଧରି ପାରିବେ ନାହିଁ ଏବଂ ଅଳ୍ପସଂଖ୍ୟାରେ ଆସିଲେ ଆମ ନିକଟରେ ପରାସ୍ତ ହେବେ ଓ ସେମାନଙ୍କର ଅନେକ କ୍ଷତି ହେବ, ସେମାନେ ଆଉ ଆମ ପଛରେ ଗୋଡ଼ାଇବେ ନାହିଁ ଏବଂ ଆମେ ନିଶ୍ଚିନ୍ତରେ ରହିବା ।”

 

ସ୍ପେନୀୟମାନଙ୍କ ଉପରେ ସେମାନଙ୍କର ଏଇ ପ୍ରଥମ ବିଜୟ ନିଗ୍ରୋ ଏବଂ ସ୍ଥାନୀୟ ଅଧିବାସୀଙ୍କ ପ୍ରାଣରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା । ନେଡ୍ ଆଉ ଜେରାଲ୍‍ଡ୍‍କୁ ସେମାନେ ଦୁଇଜଣ ଅସାଧାରଣ ବୀର ବୋଲି ମନେକଲେ ଏବଂ ସେ ଦୁହେଁ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ହୋଇଗଲେ । ଏଇ ସୁଯୋଗରେ ସେମାନେ ନିଗ୍ରୋମାନଙ୍କୁ ଶୃଙ୍ଖଳାବଦ୍ଧ ହୋଇ ସଙ୍ଗଠିତ ହେବାକୁ ପ୍ରବର୍ତ୍ତାଇଲେ । ସେମାନେ ବୁଝାଇଦେଲେ ଯେ କେବଳ ସୁଶିକ୍ଷିତ ସୈନ୍ୟଙ୍କ ପରି ଯୁଦ୍ଧ କଲେ ସ୍ପେନୀୟମାନେ ସେମାନଙ୍କୁ ଭୟ କରିବେ ଏବଂ ସେମାନଙ୍କୁ ଶିକାରଯୋଗ୍ୟ ପଶୁ ବୋଲି ନ ଭାବି ମଣିଷ ବୋଲି ଖାତିର କରିବେ ।

 

ତିନି ସପ୍ତାହ ବିତିଗଲା । ସ୍ପେନୀୟମାନଙ୍କ ଆଗମନର ଆଉ କୌଣସି ଲକ୍ଷଣ ଦେଖାଗଲା ନାହିଁ । ତାପରେ ହଠାତ୍ ଦିନେ ଦୂର ପାହାଡ଼ ଉପରେ ପ୍ରବଳ ଧୂଆଁ ଉଠିବାର ଦେଖାଗଲା । ଶତ୍ରୁ ପକ୍ଷର ଏକ ବିରାଟ ଦଳ ଜଙ୍ଗଲକୁ ଆସୁଥିବାର ଜଣାଗଲା । ଏହା ଆଶଙ୍କା କରାଯାଉଥିଲା, କାରଣ ଦୁଇଦିନ ପୂର୍ବରୁ ତିନିଜଣ ନିଗ୍ରୋ ପଳାଇଆସି ସେମାନଙ୍କ ପାଖରେ ଆଶ୍ରୟ ନେଇଥିଲେ ।

 

ନିଗ୍ରୋମାନଙ୍କ ହାତରେ ଟାଣ କାଠର ମୁନିଆଁ ବର୍ଚ୍ଛା ଓ ଗଦା ଥିଲା । ସେମାନଙ୍କ ଦଳପତିମାନଙ୍କ ପାଖରେ ତରବାରି ଥିଲା । ଏହା ସେମାନେ ସ୍ପେନୀୟମାନଙ୍କଠାରୁ ଛଡ଼ାଇ ନେଇଥିଲେ । ସେମାନଙ୍କଠାରୁ ଅଧିକାର କରିଥିବା ଆଠଟା ବନ୍ଧୁକ ମଧ୍ୟ ଏମାନଙ୍କ ପାଖରେ ଥିଲା-। ସ୍ଥାନୀୟ ଲୋକଙ୍କର ଅସ୍ତ୍ର ଥିଲା ଧନୁ ତୀର । ତୀର ମାରିବାରେ ସେମାନେ ଖୁବ୍ ଦକ୍ଷ ଥିଲେ । ଶତ୍ରୁ ଆସିଲେ କାର୍ଯ୍ୟପନ୍ଥା କ’ଣ ହେବ ତାହା ପୂର୍ବରୁ ଆଲୋଚନା କରାଯାଇଥିଲା । ଯେତେଦୂର ସମ୍ଭବ ଯୁଦ୍ଧ ନ କରି ଶତ୍ରୁକୁ ହଇରାଣ କରିବା ସ୍ଥିର କରାଯାଇଥିଲା । ସ୍ପେନୀୟମାନେ ଜଙ୍ଗଲ ସାରା ବୁଲି ବୁଲି ହଇରାଣ ଏବଂ କ୍ଳାନ୍ତ ହୋଇପଡ଼ିବେ । ତା ପରେ ରାତିରେ ଅତର୍କିତ ଭାବରେ ସେମାନଙ୍କୁ ଆକ୍ରମଣ କରି ହଇରାଣ କଲେ ସେମାନେ କ୍ଳାନ୍ତ ହୋଇ ଶେଷରେ ଜଙ୍ଗଲ ଛାଡ଼ି ପଳାଇବେ ।

 

ଶତ୍ରୁର ଗତିବିଧି ଲକ୍ଷ୍ୟ କରିବା ପାଇଁ ଯାଇଥିବା ଚରମାନେ ଆସି ଖବର ଦେଲେ ଯେ ଦୂରରେ କୁକୁରମାନଙ୍କର ଭୁକିବା ଶୁଣାଯାଉଛି । ସଙ୍ଗେ ସଙ୍ଗେ ସେମାନେ ଚାରି ଦଳରେ ବିଭକ୍ତ ହୋଇ ପ୍ରତ୍ୟେକ ଦଳ ନିଜ ନିଜ ସ୍ଥାନକୁ ଚାଲିଗଲେ । ଏକ ଦଳଠାରୁ ଅନ୍ୟ ଦଳ ବେଶ୍ ଦୂରରେ ରହିଲେ । ନେଡ୍‍ ଆଉ ଜେରାଲ୍‍ଡ୍‍ ସ୍ଥାନୀୟ ଲୋକଙ୍କର ଦଳପତି ଜଣେ ନିଗ୍ରୋ ଏବଂ ଚାରି ପାଞ୍ଚଜଣ ଯୁବକଙ୍କୁ ସାଥିରେ ଧରି ଏକ ମଞ୍ଚା ନିକଟରେ ରହିଲେ । ଏଇ ମଞ୍ଚାର ବିଶେଷତ୍ୱ ହେଉଛି ଯେ ଏହାର ଖୁଣ୍ଟକୁ ଛୁଇଁ ଦେବା ମାତ୍ରେ ଉପରେ ଲଦା ହୋଇଥିବା ପଥର ସହ ମଞ୍ଚାଟି ଭୁଷୁଡ଼ି ପଡ଼ିବ । ପ୍ରାୟ ଦୁଇଶହ ସ୍ପେନୀୟଙ୍କର ଏକ ଦଳ ପଡ଼ିଆ ଭିତର ଦେଇ ଆସୁଥିବା ଦେଖି ନେଡ୍‍ କହିଲା, “ଏହା ଏକ ନିୟମିତ ସାମରିକ ଅଭିଯାନ । ଏଥର ଏମାନଙ୍କର ମୁକାବିଲା କରିବା ସହଜ ନୁହେଁ ।”

 

ତିନିଟା ବଡ଼ ବଡ଼ କୁକୁର ଦଳର ଆଗେ ଆଗେ ଦଉଡ଼ୁଥାନ୍ତି । ସେମାନେ ତଳକୁ ମୁହଁ କରିଥାନ୍ତି ଏବଂ ମଝିରେ ମଝିରେ ଗମ୍ଭୀର ଭାବରେ ଗର୍ଜି ଉଠୁଥାନ୍ତି । ସେମାନେ ସେଇ ଫାନ୍ଦ ନିକଟରେ ପହଞ୍ଚି ସିଧାସଳଖ ମଞ୍ଚା ତଳକୁ ଦୌଡ଼ିଗଲେ ଓ ଗୋଟାଏ କୁକୁରର ଦେହ ମଞ୍ଚାରେ ଘଷି ହୋଇଗଲା । ଗୋଟାଏ ଶବ୍ଦ କରି ସାରା ମଞ୍ଚାଟା ଭାଙ୍ଗି ପଡ଼ିଲା ଓ କୁକୁରଗୁଡ଼ାକ ତା ଭିତରେ ଚାପି ହୋଇ ଗୁଣ୍ଡହୋଇଗଲେ ।

 

ସ୍ପେନୀୟମାନେ ଏହା ଦେଖି ଭୟ ଓ ବିସ୍ମୟରେ ଚିତ୍କାର କରି ଉଠିଲେ । ପଳାତକମାନଙ୍କୁ ଅନୁସରଣ କରିବା ଆପାତତଃ ବନ୍ଦ ହୋଇଗଲା, କାରଣ ସେମାନଙ୍କ ପଥପ୍ରଦର୍ଶକ କୁକୁରମାନେ ଆଉ ନ ଥିଲେ । କିଛି ସମୟ ପାଇଁ ଦଳପତିମାନଙ୍କ ମଧ୍ୟରେ ଆଲୋଚନା ଚାଲିଲା । ସ୍ଥିର ହେଲା ସେମାନେ ବିନା କୁକୁରରେ ନିଜେ ନିଜେ ଅନୁସରଣ କରିବେ-। ପୂର୍ବଥର ପରି ଏଥର ମଧ୍ୟ ପଳାତକମାନେ ତାଙ୍କୁ ଆକ୍ରମଣ କରି ପାରନ୍ତି । ତେଣୁ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯିବା ସ୍ଥିର କରାଗଲା ।

 

ପୂର୍ବଥରର ଅଭିଯାନରେ ଆସିଥିବା ଜଣକର ନିର୍ଦ୍ଦେଶ ଅନୁସାରେ ସେମାନେ ଉପତ୍ୟକା ଭିତର ଦେଇ ଆଗେଇଲେ । ଶେଷରେ ପୂର୍ବଥର ସଂଗ୍ରାମ ହୋଇଥିବା ସ୍ଥାନରେ ଆସି ପହଞ୍ଚିଲେ । ସ୍ଥାନଟା ସମ୍ପୂର୍ଣ୍ଣ ନିସ୍ତବ୍ଧ ଏବଂ ଶତ୍ରୁର କୌଣସି ଚିହ୍ନ ମଧ୍ୟ ନ ଥିଲା । କେବଳ ଏକ ବିରାଟ ପଥର ଗଦା ଉପରେ କାଠର ଖଣ୍ଡେ ଛକ (କ୍ରସ) ରଖା ଯାଇଥିଲା । ସେଥିରେ ସ୍ପେନୀୟ ଭାଷାରେ ଲେଖାଯାଇଥିଲା— ‘‘ଏଇ ଜଙ୍ଗଲରେ ରହୁଥିବା ନିରୀହ ଲୋକଙ୍କୁ ଆକ୍ରମଣ କରିବାକୁ ଆସିଥିବା ଦଶଜଣ ସ୍ପେନୀୟଙ୍କର ମୃତ ଦେହ ଏଠାରେ ରହିଛି । ସେମାନଙ୍କର ପରିଣତିରୁ ଶିକ୍ଷା ଲାଭ କର ।”

 

ସ୍ପେନୀୟମାନଙ୍କ ମନରେ ଚାଞ୍ଚଲ୍ୟ ଖେଳିଗଲା । ସେମାନେ ପଥର ଗଦା ନିକଟରେ ଠିଆ ହୋଇ ଏ ବିଷୟ ଆଲୋଚନା କଲେ । ସେମାନେ ଜାଣିଲେ ଯେ କ୍ୟାପ୍ଟେନ୍ ଡ୍ରେକ୍‍ଙ୍କ ଦଳର ଦୁଇଜଣ ଦୁର୍ଦ୍ଧଷ ଇଂରେଜ ଏହି ପଳାତକମାନଙ୍କର ନେତା । ଯାହାହେଉ କିଛି ସମୟ ଆଲୋଚନା ପରେ ଏହି ଦଳ ପୁଣି ଆଗକୁ ଚାଲିଲା । ବର୍ତ୍ତମାନ ସମୁଦାୟ ଦଳକୁ ଦୁଇ ସମାନ ଭାଗରେ ବିଭକ୍ତ କରାଗଲା । ଗୋଟାଏ ଦଳ ଆଗରେ ଏବଂ ଅନ୍ୟ ଦଳ ତାର କିଛି ପଛରେ ଚାଲିଲା ।

 

ସାରା ଦିନ ସ୍ପେନୀୟମାନେ ପଳାତକମାନଙ୍କୁ ଖୋଜି ବୁଲିଲେ । ଏଣେ ମଝିରେ ମଝିରେ ତା’ଙ୍କ ଉପରେ ତୀର ବର୍ଷା ହେଲା ଏବଂ ପାହାଡ଼ ଉପରୁ ବଡ଼ ବଡ଼ ପଥରଖଣ୍ଡମାନ ଖସିଲା । ଜଙ୍ଗଲ ଭିତରୁ ଚିତ୍କାର ମଧ୍ୟ ଶୁଣାଗଲା । ସେମାନେ କୌଣସି ପ୍ରକାରେ ତୀର୍ଯ୍ୟକ ପାହାଡ଼ ଉପରକୁ ଉଠି ଦେଖନ୍ତି ତ ଶତ୍ରୁ ସେଠାରୁ ଚାଲି ଯାଇଛି । ଚାରିଆଡ଼ ସମ୍ପୂର୍ଣ୍ଣ ନୀରବ । ଶତ୍ରୁର ଏଇ ଦୁର୍ବୋଧ୍ୟ ନୂତନ ପଦ୍ଧତିରେ ସ୍ପେନୀୟମାନେ ବିସ୍ମିତ ଏବଂ ଭୀତ ହୋଇ ପଡ଼ିଲେ । ତୀର ଏବଂ ପଥର ଆଘାତରେ ତା’ଙ୍କର ଅନେକ ଲୋକ ପ୍ରାଣ ହରାଇ ଥିଲେ । ତେଣୁ ସଂଧ୍ୟା ପରେ ସେମାନେ ଗୋଟାଏ ଖୋଲା ପଡ଼ିଆରେ ଏକକ୍ରିତ ହେଲେ । ଗଛ ଡାଳ କାଟି ଏଠାରେ ଏକ ଅସ୍ଥାୟୀ କ୍ୟାମ୍ପ ତିଆରି କରାଗଲା । ପଡ଼ିଆ ଭିତର ଦେଇ ଏକ ଛୋଟ ଝରଣା ବହି ଯାଇଛି । ତା’ରି କୂଳର ଘାସ ପଡ଼ିଆରେ ଶ୍ରାନ୍ତ କ୍ଳାନ୍ତ ସୈନିକମାନେ ପଡ଼ିଗଲେ । ଚାରି ପାଖରେ ଜଗୁଆଳି ସବୁ ରହିଲେ ।

 

ସ୍ପେନୀୟମାନେ ବର୍ତ୍ତମାନ ବୁଝି ପାରିଲେଣି ଯେ ଶତ୍ରୁପକ୍ଷ ଦୃଢ଼ଭାବରେ ପ୍ରସ୍ତୁତ । ଏ ପର୍ଯ୍ୟନ୍ତ ସେମାନେ ନିଜ ଦଳର ଅନେକ ଲୋକଙ୍କୁ ହରାଇଥିଲେ ମଧ୍ୟ ଶତ୍ରୁ ପକ୍ଷର ଜଣକୁ ହେଲେ ଦେଖିବାକୁ ପାଇ ନାହାନ୍ତି । ରାତିର ଗଭୀରତା ଭିତରେ ବାୟୁମଣ୍ଡଳ ବିଭନ୍ନ ଅଦ୍ଭୁତ ଶବ୍ଦରେ ପୂର୍ଣ୍ଣ ହୋଇ ଗଲା । ପଶୁମାନଙ୍କର ଗର୍ଜନ ଏବଂ ବେଳେ ବେଳେ ମଣିଷର ଚିତ୍କାର ଶୁଣାଗଲା । ସ୍ପେନୀୟମାନେ ଅସ୍ତ୍ର ଶସ୍ତ୍ର ଧରି ବ୍ୟଗ୍ରହୋଇ ସେଇ ନିବିଡ଼ ଅନ୍ଧକାର ଭିତରକୁ ଚାହିଁ ରହିଲେ । ଖୁବ୍ ଶୀଘ୍ର ଅଦୃଶ୍ୟ ଶତ୍ରୁର ତୀର ସେମାନଙ୍କ ଉପରକୁ ନିକ୍ଷିପ୍ତ ହେଲା ଏବଂ ଜଗୁଆଳମାନେ ପାଟି କରି ଉଠିଲେ । ସ୍ପେନୀୟମାନେ ବନ୍ଧୁକରୁ ଅସରା ଅସରା ଗୁଳି ଜଙ୍ଗଲ ଆଡ଼କୁ ନିକ୍ଷେପ କଲେ । ତା’ର ଉତ୍ତରରେ କେବଳ ଅଟ୍ଟହାସ ଶୁଣାଗଲା ଏବଂ ତୀର ବୃଷ୍ଟି ଲାଗିରହିଲା ।

 

କ୍ୟାମ୍ପରେ ଜଳୁଥିବା ନିଆଁର ଆଲୋକରେ ସ୍ପେନୀୟମାନେ ଦେଖାଯାଉଥିଲେ । ଅପର ପକ୍ଷରେ ଜଙ୍ଗଲର ଘନ ଅନ୍ଧକାର ଭିତରେ ଶତ୍ରୁପକ୍ଷ ଲୁଚି ରହିଥିଲେ । ଫଳରେ ଅଦୃଶ୍ୟ ଶତ୍ରୁର ଶରାଘାତରେ ସେମାନେ ବହୁ କ୍ଷତିଗ୍ରସ୍ତ ହେଲେ । ପଚାଶଜଣ ସୈନ୍ୟ ବିଶିଷ୍ଟ ଏକ ଦଳ ଶତ୍ରୁକୁ ଖୋଜିବା ପାଇଁ ସେଇ ଅନ୍ଧାରୁଆ ଜଙ୍ଗଲ ଭିତରକୁ ଚାଲିଲେ । କିନ୍ତୁ କିଛି ଫଳ ମିଳିଲା ନାହିଁ ।

 

ଦଳର ସେନାପତି ସମସ୍ତ ସୈନ୍ୟଙ୍କୁ ପଡ଼ିଆ ମଝିରେ ଏକତ୍ରିତ ହେବାକୁ ନିର୍ଦ୍ଦେଶ ଦେଲେ । ତା’ପରେ କ୍ୟାମ୍ପର ନିଆଁ ଲିଭାଇ ଦିଆଗଲା । ସୈନିକମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କୁ କିଛି ସମୟ ଶୋଇଯିବା ପାଇଁ ନିର୍ଦ୍ଦେଶ ଦିଆଗଲା । ଏହା କିନ୍ତୁ ସମ୍ଭବ ହେଲା ନାହିଁ । କାରଣ ଶତ୍ରୁ ପକ୍ଷର ବିକଟ ଚିତ୍କାର ଏବଂ ଅତର୍କିତ ଶରବୃଷ୍ଟି ଯୋଗୁଁ କେହି ଜଣେ ହେଲେ ଆଖି ବୁଜିବାକୁ ସାହସ କଲେ ନାହିଁ । ସ୍ପେନୀୟମାନେ କ୍ଳାନ୍ତ ଏବଂ ହତୋତ୍ସାହ ହୋଇ ପଡ଼ିଲେ । ରାତି ପାହି ସକାଳ ହେଲା । ଜଙ୍ଗଲ ଭିତରେ ଜୋର୍ ସୋର୍ ଅନୁସନ୍ଧାନ ଚାଲିଲା । କିନ୍ତୁ ସାରା ଜଙ୍ଗଲଟା ପୂର୍ବଦିନର ସଂଧ୍ୟା ପରି ସମ୍ପୂର୍ଣ୍ଣ ନିର୍ଜନ ଓ ନୀରବ ଥିଲା । ଦଳପତିମାନଙ୍କ ମଧ୍ୟରେ ପୁଣି ଆଲୋଚନା ଚାଲିଲା ଓ ଶେଷରେ ଶତ୍ରୁର ଅନୁସରଣ ବନ୍ଦ କରି ଫେରିଯିବା ସ୍ଥିର ହେଲା । ଏଇ ଅଦୃଶ୍ୟ ଶତ୍ରୁର ମୁକାବିଲା କରିବାପାଇଁ ସମଗ୍ର ଦ୍ୱୀପର ସୈନ୍ୟବାହିନୀ ସମର୍ଥ ହୋଇ ପାରନ୍ତି ବୋଲି ସମସ୍ତେ ମତ ଦେଲେ । ଘଟଣାଟା ସହରରେ ବିରାଟ ଚାଞ୍ଚଲ୍ୟ ସୃଷ୍ଟିକଲା ।

 

ଏହି ଘଟଣା ପରେ ଜଣେ ନିଗ୍ରୋ କେତେକ ଅତ୍ୟାବଶ୍ୟକୀୟ ଜିନିଷ କିଣିବା ପାଇଁ ସହରକୁ ଗଲା । ଏହି ଜିନିଷ ପତ୍ର କିଣିବାରେ ପୂର୍ବୋକ୍ତ ବୁଢ଼ୀ ମଧ୍ୟସ୍ଥ କାମ କରେ । ନିଗ୍ରୋ ଜଣକ ଯାଇ ବୁଢ଼ୀର କୁଡ଼ିଆରେ ଲୁଚିରହିଲା ଏବଂ ବୁଢ଼ୀ ଜିନିଷ କିଣିବାପାଇଁ ସହରକୁ ଗଲା । ବୁଢ଼ୀକୁ ସନ୍ଦେହ କରି ସେ କିଛି ଜିନିଷ କିଣି ଫେରିବା ବେଳେ ଦଳେ ସୈନ୍ୟ ତାର ଅନୁସରଣ କଲେ । ବୁଢ଼ୀ ଘରେ ପଶିବାମାତ୍ରେ ଏମାନେ ତା ଘର ଘେରାଉ କଲେ । ଲୁଚି ରହିଥିବା ନିଗ୍ରୋ ଧରାପଡ଼ିଲା । ତାକୁ ଏବଂ ବୁଢ଼ୀକୁ ଘର ଭିତରେ ବାନ୍ଧି ଦିଆଗଲା । ତାପରେ ସେ ଘରେ ନିଆଁ ଲଗାଇ ଦିଆଗଲା । ଦୁଇଜଣଯାକ ସେଠାରେ ଜୀବନ୍ତ ପୋଡ଼ିମଲେ ।

 

ଏ ସମ୍ବାଦ ଜଙ୍ଗଲରେ ପହଞ୍ଚିବାରୁ ନେଡ୍ ଏହାର ପ୍ରତିଶୋଧ ନେବାପାଇଁ ସଂକଳ୍ପ କଲା-। ନିଗ୍ରୋ ଏବଂ ସ୍ଥାନୀୟ ଲୋକେ ତାକୁ ସମର୍ଥନ କଲେ । ପରଦିନ ରାତି ଦେଢ଼ଶହ ଲୋକର ଏକ ଦଳ ଜଙ୍ଗଲରୁ ବାହାରିଲା । ଦ୍ୱୀପର ସାମରିକ ଗଭର୍ଣ୍ଣରଙ୍କ ସୁନ୍ଦର ଅଟ୍ଟାଳିକା ତାଙ୍କ ଆକ୍ରମଣର ଲକ୍ଷ୍ୟସ୍ଥଳ । ଏହି ଅଟ୍ଟାଳିକା ସହରଠାରୁ କିଛି ଦୂରରେ ଅବସ୍ଥିତ । ଚାଷଜମି ଭିତର ଦେଇ ସେମାନେ ନିଃଶବ୍ଦରେ ଆଗେଇଯାଇ ଏହି ଅଟ୍ଟାଳିକାକୁ ଚତୁର୍ବ୍ଦିଗରୁ ଘେରିଗଲେ । ଅଟ୍ଟାଳିକା ଚାରିପାଖରେ ତିରିଶ ଜଣ ଏବଂ ପ୍ରବେଶ ଦ୍ୱାରରେ ମଧ୍ୟ କେତେକ ଜଗୁଆଳ ଥିଲେ । ଗୋଟାଏ ସଂକେତ ଦିଆଯିବା ମାତ୍ରେ ଚତୁର୍ଦ୍ଦିଗରୁ ଆକ୍ରମଣ ଆରମ୍ଭ ହୋଇଗଲା । ଜଗୁଆଳିମାନଙ୍କୁ ମାରି ଆକ୍ରମଣକାରୀମାନେ ଅଟ୍ଟାଳିକା ଭିତରେ ପଶିଲେ । ସାରା ଅଟ୍ଟାଳିକା ନିଗ୍ରୋମାନଙ୍କର ଚିତ୍କାରରେ ପୂରିଗଲା ।

 

ଏକ ସୁପ୍ରଶସ୍ତ କକ୍ଷରେ ନେଡ୍‍ ଆଉ ଜେରାଲ୍‍ଡ୍‍ ସ୍ୱୟଂ ଗଭର୍ଣ୍ଣରଙ୍କୁ ଭେଟିଲେ । ତରୁଣ ଦୁଇଜଣ ତାଙ୍କ ନିକଟକୁ ଆଗେଇ ଯାଇ ତରବାରି ପକାଇଦେବାକୁ ନିର୍ଦ୍ଦେଶ ଦେଲେ । ଏଇ ସାହସୀ ଗଭର୍ଣ୍ଣର କିନ୍ତୁ ଦୃଢ଼ କଣ୍ଠରେ ତାହା ପ୍ରତ୍ୟାଖ୍ୟାନ କଲେ । ମୁହୂର୍ତ୍ତକ ମଧ୍ୟରେ ଦୁହେଁ ଦୁଇଦିଗରୁ ଆକ୍ରମଣ କରି ତାଙ୍କ ହାତରୁ ତରବାରି ଖସାଇଦେଲେ ।

 

ନେଡ୍‍ କହିଲା, “ମହାଶୟ ! ଯେଉଁମାନଙ୍କୁ ଆପଣ ବଣ ପଶୁ ପରି ଗୋଡ଼ାଇ ମାରୁଥିଲେ, ସେମାନେ କ’ଣ କରିପାରନ୍ତି ଦେଖୁଛନ୍ତି ! ଏଣିକି ସାବଧାନ ହୁଅନ୍ତୁ । ଆମର ବଳ ଦେଖନ୍ତୁ । ଆମକୁ ନିର୍ବିଘ୍ନରେ ରହିବାକୁ ଦେଲେ ଆମେ ଆପଣମାନଙ୍କୁ ନିର୍ବିଘ୍ନରେ ରହିବାକୁ ଦେବୁ-। ଆମେ କଥା ଦେଉଛୁ, ଆମ ଦଳର କେହି କୌଣସି ପ୍ରକାର ଅନିଷ୍ଟ କରିବେ ନାହିଁ । କିନ୍ତୁ ଯଦି ଆମ ଉପରେ ଅତ୍ୟାଚାର ହୁଏ କିମ୍ବା କେହି ଦୁର୍ବ୍ୟବହାର ପାଏ, ଆମେ ପଣ କରୁଛୁ ପ୍ରତି ବିନ୍ଦୁ ରକ୍ତ ପାଇଁ ଆମେ ଗୋଟାଏ ଗୋଟାଏ କ୍ଷେତ ଏବଂ ଗୋଟାଏ ଗୋଟାଏ ଘର ନଷ୍ଟ କରିଦେବୁ ।”

 

ତା ପରେ ସେମାନେ ଗଭର୍ଣ୍ଣରଙ୍କୁ ଅଟ୍ଟାଳିକାର ପଛପାଖ ଫାଟକ ନିକଟକୁ ନେଇଗଲେ-। ତାଙ୍କ ହାତରେ ତରବାରି ଦେଇ ନିରାପଦ ସ୍ଥାନରେ ନେଇ ଛାଡ଼ିଦେଲେ ।

 

ଗଭର୍ଣ୍ଣରଙ୍କ ପ୍ରାସାଦରୁ ଆବଶ୍ୟକୀୟ ପଦାର୍ଥ ସବୁ ବୁହାଚାଲିଲା । କୌଣସି ମୂଲ୍ୟବାନ୍ ପଦାର୍ଥ ନନେଇ ଷ୍ଟୋଭ୍, ଅସ୍ତ୍ରଶସ୍ତ୍ର ଇତ୍ୟାଦି ବ୍ୟବହାର୍ଯ୍ୟ ପଦାର୍ଥ ସବୁ ବୋହି ନେବାପାଇଁ ନେଡ୍‍ ଆଦେଶ ଦେଲା । ଅସ୍ତ୍ରାଗାରରୁ ଏବଂ ଜଗୁଆଳିମାନଙ୍କଠାରୁ ଲାଭ କରାଯାଇଥିବା ଅସ୍ତ୍ରଶସ୍ତ୍ରର ପରିମାଣ ପ୍ରଚୁର ଥିଲା । ସମସ୍ତ ଆବଶ୍ୟକୀୟ ପଦାର୍ଥ ବାହାର କରି ନେଲା ପରେ ଘରର ଝରକା କବାଟ ଆଦିରେ ନିଆଁ ଲଗାଇ ଦିଆଗଲା । ଫେରିଯିବା ପୂର୍ବରୁ ସେମାନେ ଦେଖିଲେ ଯେ ସାରା ସୌଧଟାକୁ ଧ୍ୱଂସ କରିଦେବା ପରି ନିଆଁ ହୁ ହୁ ହୋଇ ଜଳୁଛି ।

 

ଚାରି

 

ବିଜୟ ଗର୍ବରେ ନିଗ୍ରୋମାନେ ପଛକୁ ଚାହିଁଲେ । ଜଳନ୍ତା ଅଟ୍ଟାଳିକାର ଅଗ୍ନିଶିଖା ସାରା ଆକାଶକୁ ଆଲୋକିତ କରି ଦେଇଥିଲା । ପ୍ରଥମଥରପାଇଁ ନିଗ୍ରୋମାନେ ଅତ୍ୟାଚାରୀ ସ୍ପେନୀୟମାନଙ୍କ ହୃଦୟରେ ଆତଙ୍କ ସୃଷ୍ଟି କରିପାରିଛନ୍ତି । ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇ ସେମାନେ ସହରରୁ ଆଣିଥିବା ମେଣ୍ଢା, କୁକୁଡ଼ା ଆଦି ପୋଡ଼ି ଖାଇବାରେ ଲାଗିଗଲେ । ରାତିସାରା ଗୀତ ନାଚ ଚାଲିଲା । ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଥିବାରୁ ନେଡ୍‍ ଆଉ ଜେରାଲ୍‍ଡ୍‍କୁ ସେମାନେ ଉଚ୍ଚ ପ୍ରଶଂସା କଲେ ।

 

ନିଗ୍ରୋମାନଙ୍କର ଏହି ଆଘାତ ସମଗ୍ର ପୋର୍ଟୋରିକୋରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଲା । ଏଣେ ପାହାଡ଼ରେ ପଳାତକ ନିଗ୍ରୋ ଦଳ ସାମରିକ ଶିକ୍ଷା ଏବଂ ଶୃଙ୍ଖଳାରେ ଯଥେଷ୍ଟ ଉନ୍ନତି କରିବାରେ ଲାଗିଲେ । ଆତ୍ମବିଶ୍ୱାସ ଲାଭକରି ସେମାନେ ମନ ପ୍ରାଣ ଦେଇ କର୍ତ୍ତବ୍ୟରେ ଲାଗିଗଲେ । ପଡ଼ିଆ ଜାଗାମାନଙ୍କରେ ବିଭିନ୍ନ ଶସ୍ୟ ଏବଂ ଫଳଚାଷ କରାଗଲା । ଘରମାନ ତିଆରି କରାଗଲା । ସ୍ପେନୀୟମାନଙ୍କଠାରୁ ବାଧା ପାଇବା ପର୍ଯ୍ୟନ୍ତ ସ୍ଵଚ୍ଛନ୍ଦରେ ରହିବା ପାଇଁ ସେମାନେ ସ୍ଥିର କଲେ ।

 

କେତେ ମାସ ଯାଏ ଜଙ୍ଗଲର ଏହି ଦଳ ଏବଂ ସ୍ପେନୀୟମାନଙ୍କ ମଧ୍ୟରେ ଏକ ପ୍ରକାର ସନ୍ଧି ସ୍ଥାପିତ ହେଲା । ନିଗ୍ରୋମାନେ ନେଡ୍‍ ଦେଇଥିବା ଜବାବ୍ ଅକ୍ଷରେ ଅକ୍ଷରେ ପାଳନ କଲେ । ଅପର ପକ୍ଷରେ ସ୍ପେନୀୟ ଚାଷୀମାନେ ଦେଖିଲେ ଯେ ତାଙ୍କ କ୍ଷେତ୍ରର କିଛି ଅନିଷ୍ଟ ହେଉ ନାହିଁ କିମ୍ବା ପୂର୍ବପରି କ୍ରୀତଦାସମାନେ ବିଶେଷଭାବରେ ପଳାଇ ଯାଉ ନାହାନ୍ତି । ତେଣୁ ସେମାନେ ମଧ୍ୟ ଆନନ୍ଦିତ । କିନ୍ତୁ ଦ୍ୱୀପର ସେନାବାହିନୀ ଭୀଷଣ କ୍ରୁଦ୍ଧ । ଜଙ୍ଗଲ ଅଭିଯାନର ବ୍ୟର୍ଥତା ଏବଂ ଗଭର୍ଣ୍ଣରଙ୍କ ପ୍ରାସାଦ ପୋଡ଼ି ସେମାନଙ୍କ ଗର୍ବ ଉପରେ ଆଘାତ ଦେଲା । କେତେଗୁଡ଼ାଏ ପଳାତକ କ୍ରାତଦାସଙ୍କ ଦ୍ଵାରା ପରାଜିତ ହେବା କମ୍ ଲଜ୍ଜାର କଥା ନୁହେଁ । ସେଥିପାଇଁ ଖୁବ୍ ଗୁପ୍ତରେ ଧୀରେ ଧୀରେ ପାଖ ଆଖ ସ୍ଥାନମାନଙ୍କରୁ ସୈନ୍ୟମାନଙ୍କୁ ଏ ଦ୍ୱୀପକୁ ଅଣାଗଲା । ଶେଷରେ ଦ୍ୱୀପରେ ଏକ ବିରାଟ ସେନାବାହିନୀ ଏକତ୍ରିତ ହେଲା ।

 

ନେଡ୍‍ ଆଉ ଜେରାଲ୍‍ଡ୍‍ ଜାଣି ପାରିଲେ ଯେ ଦ୍ୱୀପରେ ଅନେକ ସ୍ପେନୀୟ ଜମା ହେଲେଣି । ତେଣୁ ଆଗାମୀ ଝଡ଼ର ସମ୍ମୁଖୀନ ହେବାକୁ ପ୍ରସ୍ତୁତି ଚାଲିଲା । ଜଙ୍ଗଲ ଭିତରକୁ ଆସିବା ପାଇଁ ଯେତେ ସଂକୀର୍ଣ୍ଣ ପଥ ଥିଲା ପଥର ଜମାକରି ତାକୁ ବନ୍ଦ କରି ଦିଆଗଲା । ପାହାଡ଼ ଉପରେ ପଥର ଗଦାକରାଗଲା । ଆବଶ୍ୟକ ବେଳେ ଏ ପଥର ସବୁ ତଳକୁ ଶତ୍ରୁ ଉପରକୁ ଗଡ଼ାଯିବ । ଖାଦ୍ୟ ସାମଗ୍ରୀ ମଧ୍ୟ ଜମାକରାଗଲା ।

 

ଅନେକ ଆଲୋଚନା ଓ ବିଚାର କରାଯାଇ ଗୋଟାଏ ପାହାଡ଼ର ମଧ୍ୟ ଦେଶରେ ଶେଷ ଦୁର୍ଗ ନିର୍ମାଣ କରାଗଲା । ପ୍ରତିରକ୍ଷା ପାଇଁ ଏ ସ୍ଥାନ ବେଶ୍ ଅନୁକୂଳ ଥିଲା । ପାହାଡ଼ଟା ଚାରି ଦିଗରେ ଅତ୍ୟନ୍ତ ତୀର୍ଯ୍ୟକ ଥିଲା ।

 

ଜଙ୍ଗଲର ଏହି ଦଳ ସବୁ ପ୍ରକାରେ ପ୍ରସ୍ତୁତ ହୋଇ ରହିଲେ । ତା’ପରେ ଦ୍ଵୀପର ଗଭର୍ଣ୍ଣରଙ୍କ ନିକଟକୁ ଏକ ସମ୍ବାଦ ପଠାଗଲା । ଏଥିରେ କୁହାଗଲା ଜଙ୍ଗଲର ଲୋକମାନେ ଜାଣିବାକୁ ଚାହାନ୍ତି କାହିଁକି ଦ୍ୱୀପରେ ଏତେ ସୈନ୍ୟ ଜମା କରାଯାଉଛି । ଯଦି ଏ ସୈନ୍ୟମାନଙ୍କୁ ବିଦାୟ କରି ଦିଆନଯାଏ ତାହାହେଲେ ବୁଝାଯିବ ଯେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧର ଆୟୋଜନ ଚାଲିଛି । ନେଡ୍‍ ଆଉ ଜେରାଲ୍‍ଡ୍‍ ଏହାର ଉତ୍ତରରେ ଯାହା ଆଶା କରିଥିଲେ ତାହାହିଁ ହେଲା । ସ୍ପେନୀୟମାନେ ଅବିଳମ୍ବେ ସେମାନଙ୍କର ଅଭିଯାନ ଆରମ୍ଭକଲେ ଏବଂ ଖବର ମିଳିଲା ଯେ ପ୍ରାୟ ଚାରିଶହ ସ୍ପେନୀୟ ପାହାଡ଼ ଆଡ଼କୁ ଆସୁଛନ୍ତି ।

 

ସେ ରାତିରେ ସ୍ପେନୀୟ ସେନାବାହିନୀ ଜଙ୍ଗଲର ସୀମାରେ ରହିଲେ । ରାତି ଅଧ ବେଳକୁ କ୍ୟାମ୍ପରେ ଚହଳ ପଡ଼ିଗଲା । ସମତଳ ଅଞ୍ଚଳର କ୍ଷେତରେ ବିଭିନ୍ନ ପଚାଶଟା ଜାଗାରେ ନିଆଁ ହୁ ହୁ ହୋଇ ଜଳିବାର ଦେଖାଗଲା । ଏଥିରେ କ୍ରୋଧାନ୍ଧ ହୋଇ ସେନାପତି ତାଙ୍କର ଅଶ୍ୱାରୋହୀମାନଙ୍କୁ ଧରି ସେ ସ୍ଥାନ ସବୁ ଦେଖିବା ପାଇଁ ବାହାରିଗଲେ । ସେମାନେ ଆସି ଦେଖିଲେ ଯେ ସ୍ପେନୀୟ କୃଷକମାନଙ୍କର ସମସ୍ତ କ୍ଷେତ ହୁହୁ ହୋଇ ଜଳୁଛି ଓ ପ୍ରତିରୋଧକାରୀଙ୍କୁ ହତ୍ୟା କରାଯାଇଛି ।

 

ଏହା ପରେ ଛଅ ସପ୍ତାହ ବିତିଗଲା । ଆହୁରି ଯଥେଷ୍ଟ ଅଧିକ ସୈନ୍ୟ ସଂଗ୍ରହ କରାଗଲା । ତା’ପରେ ପୁଣି ଅଭିଯାନ ଅରମ୍ଭ ହେଲା । ଅଧିକାଂଶ ସୈନ୍ୟଙ୍କୁ ଇଉରୋପୀୟ ଅସ୍ତ୍ରଶସ୍ତ୍ର ଦିଆଗଲା । ନିଗ୍ରୋମାନେ ପୁରୁଣା ବନ୍ଧୁକ ସବୁ ଧରିଲେ । ସ୍ଥାନୀୟ ଅଧିବାସୀମାନେ ଧନୁ, ଶର, ବର୍ଚ୍ଛା ଇତ୍ୟାଦି ଧରି ଚାଲିଲେ । ସେମାନଙ୍କ ନିକଟରେ ପ୍ରତିରକ୍ଷା ପାଇଁ କିଛି ଅସ୍ତ୍ରଶସ୍ତ୍ର ନ ଥିଲା । ଏ ଦୃଷ୍ଟିରୁ ଯୁଦ୍ଧରେ ସ୍ପେନୀୟମାନେ ଅନେକଟା ସୁବିଧା ପାଇ ପାରିଲେ । ଅପର ପକ୍ଷରେ ସ୍ଥାନୀୟ ଲୋକେ ପଥର ପାହାଡ଼ରେ ଖୁବ୍ ଶୀଘ୍ର ଏବଂ ସ୍ଵଚ୍ଛନ୍ଦରେ ଯିବା ଆସିବା କରିପାରିଲେ । ଖୁବ୍ ଓଜନିଆ ଅସ୍ତ୍ରଶସ୍ତ୍ର ଧରି ସ୍ପେନୀୟ ସୈନ୍ୟମାନେ ଏ ସୁବିଧାରୁ ବଞ୍ଚିତ ହେଲେ-। ଜଙ୍ଗଲ ସୀମାରେ ସ୍ପେନୀୟମାନଙ୍କ ଗତିବିଧି ଲକ୍ଷ୍ୟ କରିବାକୁ କେତେକ ଚର ନିଯୁକ୍ତ ଥିଲେ । ସେମାନେ ଆସି ସମ୍ବାଦ ଦେଲେ ଯେ ପ୍ରାୟ ପନ୍ଦର ଶହ ସ୍ପେନୀୟ ସୈନ୍ୟ ଛଅ ଦଳରେ ବିଭକ୍ତ ହୋଇ ସମଦୂରବର୍ତ୍ତୀ ଛଅ ଜାଗାରୁ ଜଙ୍ଗଲ ଆଡ଼କୁ ଆସୁଛନ୍ତି । ପ୍ରତ୍ୟେକ ଦଳରେ ବ୍ଳଡ୍ ହାଉଣ୍ଡ, ଉଲ୍‍ଫ୍‍ ହାଉଣ୍ଡ ଏବଂ ଅନ୍ୟ ଜାତିର ଭୟଙ୍କର କୁକୁର ଅଛନ୍ତି । ସାହସୀ ନିଗ୍ରୋମାନେ ମଧ୍ୟ ଏହି କୁକୁର କଥା ଶୁଣି ଆତଙ୍କରେ ଥରିଉଠିଲେ । ଶତ୍ରୁର ବିପୁଳ ପ୍ରସ୍ତୁତି ଓ ସୈନ୍ୟବଳ ଦୃଷ୍ଟିରୁ ନେଡ୍‌ ଏବଂ ଜେରାଲ୍‍ଡ୍‍ ବିଚାର କରି ସ୍ଥିର କରିଥିଲେ ଯେ ସେମାନେ କେବଳ ପ୍ରତିରକ୍ଷା ମୂଳକ ଯୁଦ୍ଧକରିବେ । ତାଙ୍କର ଆସ୍ଥାନକୁ ଶେଷ ପର୍ଯ୍ୟନ୍ତ ରକ୍ଷା କରିବାର ଚେଷ୍ଟା କରାଯିବ । ସେ ସ୍ଥାନର ପତନ ଘଟିଲେ ଖୁବ୍ ଶୀଘ୍ର ସମସ୍ତେ ପରବର୍ତ୍ତୀ ଦୁର୍ଗକୁ ପଳାଇଯିବେ ।

 

ସ୍ପେନୀୟ ସେନା ଦଳବଦ୍ଧ ହୋଇ ଆଗକୁ ଚାଲିଲେ । ଜଙ୍ଗଲ ଭିତରକୁ ଥିବା ସଂକୀର୍ଣ୍ଣ ବାଟର ମୁହଁରେ ଶତ୍ରୁର ପ୍ରଥମ ପ୍ରତିରୋଧ କରିବା ପାଇଁ ନେଡ୍‍ ଓ ଜେରାଲ୍‍ଡ୍‍ ସ୍ଥିର କରିଥିଲେ । ଏଠି ରାସ୍ତା ଦୁଇ ପାଖରେ ପଥର ସିଧାଭାବରେ ଉପରକୁ ଉଠିଥିଲା । ଏହା ପ୍ରାୟ ଗୋଟାଏ ଗୋଟାଏ କାନ୍ଥ ପରି ହୋଇଥିଲା । ସ୍ପେନୀୟମାନେ ସେଇ ସଂକୀର୍ଣ୍ଣ ପଥର ମୁହଁରେ ପହଞ୍ଚିବା ପର୍ଯ୍ୟନ୍ତ ଆଗେଇ ଆସିଲେ । କୁକୁରଗୁଡ଼ାକ ଆଗରେ ଆସୁଥାନ୍ତି । ଦୁଇ ପାଖରେ ପାହାଡ଼ ଘେରା ଏଇ ସଂକୀର୍ଣ୍ଣ ପଥ ନିକଟରେ ପହଞ୍ଚି ସେମାନେ ଅଟକିଗଲେ । କୁକୁରଗୁଡ଼ାଙ୍କର ବ୍ୟଗ୍ରତାରୁ ସେମାନେ ଜାଣିପାରିଲେ ଯେ ସେମାନଙ୍କର ଶତ୍ରୁମାନେ ନିକଟରେ ଲୁଚି ରହିଛନ୍ତି । ସେମାନଙ୍କ ସୈନ୍ୟବାହିନୀ ଯଥେଷ୍ଟ ଶକ୍ତିଶାଳୀ ଥିଲେ ମଧ୍ୟ ସେମାନେ ଶତ୍ରୁ ଆକ୍ରମଣର ଆଶଙ୍କା କରୁଥିଲେ । ଏକ ଛୋଟ ଦଳ ଆଗକୁ ଯାଇ ପରିସ୍ଥିତି ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ଏମାନେ ସେହି ସଂକୀର୍ଣ୍ଣ ପଥ ମଧ୍ୟରେ ଶହେଗଜ ପର୍ଯ୍ୟନ୍ତ ଚାଲିଗଲେ । ତାପରେ କାନ୍ଥପରି ଉଠିଥିବା ଏକ ପଥର ଉପରୁ ସେମାନଙ୍କ ଉପରେ ଗୁଳିମାଡ଼ ହେଲା । ତା ସଙ୍ଗେ ସଙ୍ଗେ ଉଭୟ ପାଖ ପାହାଡ଼ ଉପରୁ ବଡ଼ ବଡ଼ ପଥର ସବୁ ତଳକୁ ଖସିଲା । ଦଳଟାର ଯେଉଁମାନେ ପ୍ରଥମ ଆଘାତରୁ ରକ୍ଷା ପାଇଗଲେ ସେମାନେ ଅଦୃଶ୍ୟ ଶତ୍ରୁ ଆଡ଼କୁ ଗୁଳି ଫୁଟାଇଲେ ଏବଂ ତା ପରେ ମୁଖ୍ୟ ଦଳ ନିକଟକୁ ଦୌଡ଼ି ପଳାଇଗଲେ ।

 

ବର୍ତ୍ତମାନ ଏକ ଗୁରୁତର ଧରଣର ଯୁଦ୍ଧ ହେବ ବୋଲି ପରିଷ୍କାର ଜଣାଗଲା । ସ୍ପେନୀୟ ସେନାପତି ଅବସ୍ଥାକୁ ପରୀକ୍ଷା କରି ଦେଖିଲେ ଯେ କୌଣସି ଗୋଟାଏ କଡ଼ରୁ ଆଗେଇବା ସମ୍ଭବ ନୁହେଁ । ତେଣୁ ସେ ସମ୍ମୁଖ ଦିଗରୁ ଆକ୍ରମଣ କରିବା ପାଇଁ ତାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ । ଦୃଢ଼ ମନରେ ସ୍ପେନୀୟ ସୈନ୍ୟ ଆକ୍ରମଣ କରିବାକୁ ଆଗେଇ ଚାଲିଲେ । ସେମାନେ ସେଇ ସଂକୀର୍ଣ୍ଣ ପଥର ମୁହଁରେ ପହଞ୍ଚିବା ମାତ୍ରେ ଉପରୁ ସେମାନଙ୍କ ଉପରେ ତୀର ବର୍ଷା ହେଲା । ତାର ଉତ୍ତରରେ ସେମାନେ ମଧ୍ୟ ଗୁଳି ଏବଂ ତୀର ଚଳାଇଲେ । କିନ୍ତୁ ଉପରେ ଥିବା ଲୋକେ ପ୍ରାୟ ଦେଖାଯାଉ ନ ଥିଲେ । ତେଣୁ ସେମାନଙ୍କର ବିଶେଷ କ୍ଷତି ହେଲା ନାହିଁ । ସେ ସମୟର ଗୋଳା ଗୁଳି ସେତେ ଉନ୍ନତ ଧରଣର ନ ଥିଲା । ଅନବରତ ଗୁଳି ମାଡ଼ରେ ଅନେକ ସ୍ପେନୀୟ ନିହତ ହେଲେ ମଧ୍ୟ ବହୁ ସଂଖ୍ୟାରେ ସ୍ପେନୀୟ ପଥର ଏବଂ ବୁଦା ଉହାଡ଼ରେ ରହି ଆଗେଇ ଯାଇ ଦୁର୍ଗର ପାଦ ଦେଶରେ ପହଞ୍ଚିଗଲେ । ସ୍ପେନୀୟ ସେନାପତି ଦେଖିଲେ ଯେ ତାଙ୍କର ଅଧିକାଂଶ ସୈନ୍ୟ ଦୁର୍ଗ ନିକଟରେ ପହଞ୍ଚି ଯାଇଛନ୍ତି । ସେ ଦୁର୍ଗ ଆଡ଼କୁ ମାଡ଼ିଯାଇ ଆକ୍ରମଣ କରିବାକୁ ସେମାନଙ୍କୁ ଆଦେଶ ଦେଲେ ।

 

ଏ ସ୍ଥାନରେ ଉପରକୁ ଯିବା ସଂକୀର୍ଣ୍ଣ ପଥର ପ୍ରସ୍ଥ ଥିଲା ପ୍ରାୟ ପନ୍ଦର ଗଜ । ତାହା ପଥର କଣ୍ଟା ପକାଇ ବନ୍ଦ କରାଯାଇଥିଲା । କଣ୍ଟାପୂର୍ଣ୍ଣ ଲତାଦ୍ୱାରା ଆଚ୍ଛାଦିତ ହୋଇଥିବାରୁ ତଳର ପଥର ସବୁ ଦେଖାଯାଉ ନଥିଲା । ତେଣୁ ସ୍ପେନୀୟ ସୈନ୍ୟମାନେ ଏହା ଉପରେ ପାଦ ଦେଲାମାତ୍ରେ ପଥର ମଝିରେ ଥିବା ଖୋଲ ଭିତରେ ଗଳିଯାଇ ମୁହଁ ମାଡ଼ି ପଡ଼ୁଥିଲେ । ଫଳରେ କଣ୍ଟା ଏବଂ ପଥର ଉପରେ ପଡ଼ି ସେମାନେ ଭୀଷଣ କ୍ଷତ ବିକ୍ଷତ ହେଲେ । ତା ସାଙ୍ଗକୁ ଉପରୁ ଅସରାକୁ ଅସରା ଗୁଳିବର୍ଷା ହୋଇ ଅବସ୍ଥାକୁ ଆହୁରି ସାଂଘାତିକ କରି ଦେଲା । ଏଣେ ପାହାଡ଼ ଉପରୁ ସ୍ପେନୀୟମାନଙ୍କ ଉପରେ ଅନବରତ ଗୁଳି ଏବଂ ପଥର ମାଡ଼ ଚାଲିଥାଏ । ଫଳରେ କଣ୍ଟାପୂର୍ଣ୍ଣ ପଥର ଦୁର୍ଗ ଉପରକୁ ଉଠିବାର ସମସ୍ତ ଚେଷ୍ଟା ତାଙ୍କର ବ୍ୟର୍ଥ ହେଲା । ଏପରିକି କୁକୁରଗୁଡ଼ା ମଧ୍ୟ ତା ଉପରକୁ ଉଠି ପାରିଲେ ନାହିଁ । ଯେଉଁମାନେ ଉପରକୁ ଉଠିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ହତ୍ୟା କରାଗଲା ।

 

ଶେଷରେ ଅନେକ କ୍ଷୟ କ୍ଷତି ପରେ ସ୍ପେନୀୟ ସେନାପତି ତାଙ୍କର ସୈନ୍ୟମାନଙ୍କୁ ପଛକୁ ହଟାଇ ନେଲେ । ନିଗ୍ରୋମାନେ ଆନନ୍ଦରେ ଚିତ୍କାର କରି ଉଠିଲେ । କିନ୍ତୁ ନେଡ୍ ଆଉ ଜେରାଲ୍‍ଡ୍‍ ବର୍ତ୍ତମାନ ସ୍ପେନୀୟମାନଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା ଦେଖିବାକୁ ଅପେକ୍ଷା କରି ରହିଲେ-। ପ୍ରାୟ ଏକ ଘଣ୍ଟା ପରେ ସ୍ପେନୀୟମାନେ ପୁଣି ଆକ୍ରମଣ କରିବାକୁ ବାହାରିଲେ । ଏଥର ସେମାନେ ଗୋଛା ଗୋଛା ଶୁଖିଲା ଘାସ କୁଟା ଧରିଥାନ୍ତି । ଅନେକ କ୍ଷତି ସହିଲେ ମଧ୍ୟ ସେମାନେ ଏହି ଶୁଖିଲା ଘାସ କୁଟାକୁ ପଥର ପ୍ରାଚୀର ଉପରେ ଜମା କରି ସେଥିରେ ନିଆଁ ଲଗାଇଦେଲେ । ସେମାନେ ଯାହା ଆଶା କରିଥିଲେ ତାହାହିଁ ହେଲା । ନିଆଁ ଲାଗି ପଥର ଉପରେ ଥିବା କଣ୍ଟା ଲତା ସବୁ ପୋଡ଼ି ପାଉଁଶ ହୋଇଗଲା ଓ ପଥର ସବୁ ଖୋଲା ପଡ଼ିଗଲା । ନୂତନ ଆଶାରେ ଉଦ୍‍ବୁଦ୍ଧ ହୋଇ ସ୍ପେନୀୟମାନେ ପୁଣି ଆକ୍ରମଣ କରିବାକୁ ଆଗେଇଲେ ଓ ଅନେକ କ୍ଷତି ସହି ସେମାନେ ପଥର ପ୍ରାଚୀର ଉପରକୁ ଉଠିବାକୁ ସମର୍ଥ ହେଲେ । ସେମାନେ ଯେତେବେଳେ ଶେଷ ସୀମାର ମୋଟେ ତିନି ଚାରିଫୁଟ ଦୂରରେ ପହଞ୍ଚିଲେ ନେଡ୍‍ର ଆଦେଶରେ ତିରିଶ ଜଣ ଶକ୍ତିଶାଳୀ ନିଗ୍ରୋ ବର୍ଚ୍ଛା ଧରି ସେମାନଙ୍କ ଉପରେ ଝାମ୍ପି ପଡ଼ି ଶତ୍ରୁମାନଙ୍କୁ ତଳକୁ ଗଡ଼ାଇଦେଲେ । ସ୍ପେନୀୟମାନେ ଗୁଡ଼ାଏ ଅସ୍ତ୍ରଶସ୍ତ୍ର ଧରିଥିବାରୁ ସେମାନଙ୍କର ଓଜନ ବହୁତ ବେଶୀ ଥିଲା । ସେମାନେ ପରସ୍ପର ଉପରେ ଅଜାଡ଼ି ହୋଇ ପଡ଼ିଲେ । ଆଗ ଧାଡ଼ିର ସୈନ୍ୟମାନେ ପଛରେ ଆସୁଥିବା ସୈନ୍ୟମାନଙ୍କ ଉପରେ ପଡ଼ିଗଲେ । ଏତିକିବେଳେ ଆଉ ଦଳେ ନିଗ୍ରୋ କୁଠାର ଧରି ପହଞ୍ଚିଗଲେ । କିଛି ସମୟ ପାଇଁ ନରହତ୍ୟା ଭୀଷଣ ରୂପ ଧାରଣ କଲା । ପ୍ରାୟ ତିରିଶ ପହଣ୍ଡଯାଏ ନିଗ୍ରୋମାନେ ତାଙ୍କର ଶତ୍ରୁମାନଙ୍କୁ ଗୋଡ଼ାଇଗଲେ | ଏତିକିବେଳେ ଉଚ୍ଚ କଣ୍ଠରେ ନେଡ୍ ନିର୍ଦ୍ଦେଶ ଦେଲା ଏବଂ ନିଗ୍ରୋମାନେ ବିଜୁଳିବେଗରେ ଦୁର୍ଗ ଭିତରକୁ ଫେରିଗଲେ । ପଛରେ ଥିବା ସ୍ପେନୀୟମାନଙ୍କର ବିସ୍ମୟ ଦୂରହେବା ପୂର୍ବରୁ ସେମାନେ ନିରାପଦ ସ୍ଥାନକୁ ଚାଲିଯାଇଥିଲେ ।

 

ଏଥର ସ୍ପେନୀୟ ସେନାପତି ଭଗ୍ନ ହୃଦୟରେ ତାଙ୍କର ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେଲେ । ସେ ଦେଖିଲେ ଯେ ସୈନ୍ୟମାନେ ଯାହା ସମ୍ଭବ ତାହା କରିଛନ୍ତି । ଷାଠିଏରୁ ଅଧିକ ସୈନ୍ୟ ପ୍ରାଣ ହରାଇ ଥିଲେ, ଆହୁରି ଅନେକ ଆହତ ହୋଇଥିଲେ । ତେଣୁ ବର୍ତ୍ତମାନ ପୁନର୍ବାର ଆକ୍ରମଣ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେବା ବୃଥା ।

 

ଛଅ

 

ସ୍ପେନୀୟମାନେ ଏ ଅଭିଯାନରେ ଅକୃତକାର୍ଯ୍ୟ ହୋଇ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଉଠିଲେ । କିନ୍ତୁ ପରିସ୍ଥିତିକୁ ସବୁ ଦିଗରୁ ଆଲୋଚନା କରି ସେନାଧ୍ୟକ୍ଷମାନେ ସିଦ୍ଧାନ୍ତ କଲେ ଯେ ପ୍ରତିରକ୍ଷାକାରୀମାନଙ୍କର ଆସ୍ଥାନ ଏକାନ୍ତ ଅଜେୟ । ତେଣୁ ସେମାନଙ୍କୁ ଖାଦ୍ୟାଭାବରେ ପକାଇ ମାରିବା ଏକମାତ୍ର ପନ୍ଥା । ସେମାନେ ସେ ସ୍ଥାନରୁ ପଳାଇ ଯିବା ପାଇଁ ଅନ୍ୟ ପଥ ନ ଥିଲା । ଅଳ୍ପସଂଖ୍ୟକ ସୈନ୍ୟ ଏକମାତ୍ର ପଥ ଜଗି ରହିଲେ ପ୍ରତିରକ୍ଷାକାରୀମାନେ ସେ ପଥରେ ଆସିବା ସମ୍ଭବ ହେବ ନାହିଁ । ତେଣୁ ପ୍ରାୟ ଦୁଇଶହ ସୈନ୍ୟ ଏହି ପଥରେ ଜଗି ରହିଲେ । ଅନ୍ୟମାନଙ୍କୁ ଫେରାଇ ନିଆଗଲା ।

 

ଏହା ପରେ ପାଞ୍ଚ ସପ୍ତାହ ବିତିଗଲା । ତା ଭିତରେ କୌଣସି ଉଲ୍ଲେଖଯୋଗ୍ୟ ଘଟଣା ଘଟିନାହିଁ । ଦେଖାଗଲା ସ୍ପେନୀୟମାନେ ଆଉ ଆକ୍ରମଣ କରିବାର ଆଶା ପରିତ୍ୟାଗ କରିଛନ୍ତି । କିନ୍ତୁ ପ୍ରତିରକ୍ଷାକାରୀମାନଙ୍କର ସତର୍କ ପହରାରେ ହେଳା ନ ଥିଲା । କାରଣ ସେମାନଙ୍କର ଅସାବଧାନତାର ସୁଯୋଗ ନେଇ ଯେ କୌଣସି ମୁହୂର୍ତ୍ତରେ ସ୍ପେନୀୟମାନେ ଆକ୍ରମଣ କରିବାର ଆଶଙ୍କା ଥିଲା । ବାସ୍ତବରେ ମଧ୍ୟ ସ୍ପେନୀୟମାନେ ରାତ୍ରିର ଅନ୍ଧକାର ମଧ୍ୟରେ ଦୁଇଥର ଆଗକୁ ଯିବାର ଚେଷ୍ଟା କରିଥିଲେ, କିନ୍ତୁ ଉଭୟଥର ଅକୃତ କାର୍ଯ୍ୟ ହୋଇଥିଲେ ।

 

ପାଞ୍ଚ ସପ୍ତାହ ପରେ ପ୍ରତିରୋଧକାରୀମାନେ ଦେଖିଲେ ଯେ ଦୁର୍ଗ ପରିତ୍ୟାଗ କରିବା ସମୟ ହୋଇଗଲା । ସ୍ପେନୀୟମାନେ ଶୃଙ୍ଗର ପାଦଦେଶରେ ପଚାଶ ଜଣ ପ୍ରହରୀ ନିଯୁକ୍ତ କରିଥିଲେ । ତେଣୁ ଦଉଡ଼ି ସାହାଯ୍ୟରେ ସେ ପାଖ ଦେଇ ଆସିବା ସମ୍ଭବପର ନଥିଲା । ପାହାଡ଼ ଉପରେ କିନ୍ତୁ କୌଣସି ରକ୍ଷୀର ବ୍ୟବସ୍ଥା ନ ଥିଲା । କାରଣ ଦୂରରୁ ଦେଖିଲେ ଜଣା ଯାଉଥିଲା, ଏ ପାହାଡ଼ ଉପର ଦେଇ ଯିବା କୌଣସି ମାନବ ପକ୍ଷରେ ସମ୍ଭବ ନୁହେଁ । କିନ୍ତୁ ଭାଗ୍ୟକୁ ଜଙ୍ଗଲର ଲୋକେ ପୂର୍ବରୁ କଠିନ ପରିଶ୍ରମ କରି ଏଠାରେ ରାସ୍ତା ଖୋଲିଥିଲେ । ଅଧିକାଂଶ ସ୍ଥାନରେ ପାହାଡ଼ କଟାଯାଇ ପାହାଚ କରାଯାଇଥିଲା । ଯେଉଁଠି ଏହା ସମ୍ଭବ ନ ଥିଲା ସେଠାରେ ମୁନିଆ କାଠ ସବୁ ପାହାଡ଼ ଦେହରେ ପୋତା ଯାଇଥିଲା । ଏହି କାଠ ସବୁ ପଥର ଫାଙ୍କମାନଙ୍କରେ ମରାଯାଇ ଏକପ୍ରକାର ପାହାଚ ପରି ହୋଇଥିଲା । ଏ ପଥ ଦେଇ ଉପରକୁ ଉଠିବା କଷ୍ଟସାଧ୍ୟ ହେଲେ ମଧ୍ୟ ଅସମ୍ଭବ ନ ଥିଲା । ଠିକ୍ ସୂର୍ଯ୍ୟାସ୍ତ ପରେ ପରେ ଯାତ୍ରା ଆରମ୍ଭ ହେବାର ଠିକ୍ ହୋଇଥିଲା । ସେତେବେଳକୁ ପାଖ ଜିନିଷ ଦେଖାଯିବା ପାଇଁ ଯଥେଷ୍ଟ ଆଲୋକ ଥିଲା । କିନ୍ତୁ ଉପରେ କ’ଣ ଘଟୁଛି ତାହା ତଳ ଲୋକେ ଦେଖି ପାରିବାପାଇଁ ଆଲୋକ ଯଥେଷ୍ଟ ନ ଥିଲା । ଆକାଶରେ ଚନ୍ଦ୍ର ଉଦୟ ହୋଇ ଆସିଲା । ଫିକା ଚନ୍ଦ୍ରଲୋକ ଏ ଯାତ୍ରା ପାଇଁ ଯଥେଷ୍ଟ ଆଲୋକ ଦାନ କଲା । ସ୍ଥାନୀୟ ଲୋକମାନଙ୍କ ମଧ୍ୟରୁ କେତେଜଣ ସାହସୀ ଏବଂ କର୍ମଠ ଲୋକ ପ୍ରଥମେ ପାହାଡ଼ ଉପରକୁ ଉଠିଲେ । ସେମାନଙ୍କ ହାତରେ ଦଉଡ଼ି ସବୁ ଥାଏ । ପ୍ରତ୍ୟେକ ବାଙ୍କରେ ସେମାନେ ଏ ଦଉଡ଼ି ତଳକୁ ଖସାଇ ପଛରେ ଆସୁଥିବା ଲୋକଙ୍କୁ ଉପରକୁ ଉଠିବାରେ ସାହାଯ୍ୟ କରୁଥାନ୍ତି । ସମସ୍ତେ ସମ୍ପୂର୍ଣ୍ଣ ନୀରବରେ ଚାଲିଥାନ୍ତି । ଅସ୍ତ୍ରଶସ୍ତ୍ର ଉପରେ ପତ୍ର ଆଦି ଗୁଡ଼ାଇ ଦିଆଯାଇଥାଏ । ଫଳରେ ଏହା ପଥର ଦେହରେ ବାଜିଲେ ମଧ୍ୟ କୌଣସି ଶବ୍ଦ ହେଉ ନ ଥାଏ । ଜଣ ଜଣ କରି ସମସ୍ତେ ଧୀର ସ୍ଥିର ଭାବରେ ଉପରକୁ ଉଠିଲେ । କାହାରି ପାଦରେ ଜୋତା ନ ଥାଏ । ନେଡ୍ ଆଉ ଜେରାଲ୍‍ଡ୍‍ ମଧ୍ୟ ସ୍ଥାନୀୟ ଲୋକଙ୍କ ପରି ଖାଲି ପାଦରେ ଚାଲିଥାନ୍ତି । ପାହାଡ଼ ଶୃଙ୍ଗ ଅତ୍ୟନ୍ତ ତୀର୍ଯ୍ୟକ ଦେଖା ଯାଉଥିଲେ ମଧ୍ୟ ବାସ୍ତବରେ ଏହା କେତେକାଂଶରେ ସମତଳ ଥିଲା ଏବଂ ଉପରକୁ ଉଠିବା ଯେପରି ଜଣାଯାଉଥିଲା ସେପରି କଷ୍ଟକର ହେଲାନାହିଁ ।

 

ଶେଷରେ ସମସ୍ତେ ପାହାଡ଼ର ଶୀର୍ଷ ଦେଶରେ ପହଞ୍ଚିଲେ । ଅପର ପାର୍ଶ୍ଵରେ ପାହାଡ଼ରୁ ଓହ୍ଲାଇ ସେମାନେ ଜଙ୍ଗଲ ଭିତରକୁ ଚାଲିଲେ । ଦଶ ମାଇଲ ଦୂରରେ ଥିବା ଏକ ଉପତ୍ୟକା ଆଡ଼କୁ ସେମାନେ ଆଗେଇଲେ । ଏଠାରେ ପୂର୍ବରୁ ଯଥେଷ୍ଟ ଖାଦ୍ୟଦ୍ରବ୍ୟ ରଖାଯାଇଥିଲା । ସେମାନେ ଦୁର୍ଗଛାଡ଼ି ଚାଲିଯିବା କଥା ସ୍ପେନୀୟମାନେ ଜାଣିବା ପାଇଁ ଯଥେଷ୍ଟ ସମୟ ଲାଗିବ ବୋଲି ସେମାନେ ନିଶ୍ଚିନ୍ତ ଥିଲେ । ତେଣୁ ଦୁଇଦିନ ଯାଏ ଏହି ଉପତ୍ୟକାରେ ସେମାନେ ଖାଇ ପିଇ ଆନନ୍ଦରେ ମାତିଗଲେ । ତାପରେ ସେମାନେ ପୂର୍ବରୁ ସ୍ଥିର କରିଥିବା ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଲେ । ସେମାନେ ଜାଣିଥିଲେ ଯେ ସହରରେ ବିଶେଷ ପ୍ରହରୀ ନ ଥିବେ, କାରଣ ଜଙ୍ଗଲ ଲୋକେ ଅବରୁଦ୍ଧ ହୋଇ ରହିଛନ୍ତି ବୋଲି ସହର ବାସୀମାନଙ୍କର ଧାରଣା । ତେଣୁ ପୂର୍ବପରି ସେମାନେ ଚାରି ଦଳରେ ବିଭକ୍ତ ହୋଇ ସୂର୍ଯ୍ୟାସ୍ତ ସମୟରେ ସହର ଆଡ଼କୁ ଯାତ୍ରା ଆରମ୍ଭ କଲେ । ଠିକ୍ ଅର୍ଦ୍ଧ ରାତ୍ରି ପରେ ସେମାନେ ସହରରେ ପହଞ୍ଚିଲେ । ନିଃଶବ୍ଦରେ ପ୍ରତ୍ୟେକ ଦଳ ତାର ଲକ୍ଷ୍ୟ ସ୍ଥଳକୁ ଆଗେଇ ଚାଲିଲା । ଏକ ଦଳ ଗଭର୍ଣ୍ଣରଙ୍କ ପ୍ରାସାଦ ଆକ୍ରମଣ କରି ତାଙ୍କୁ ବନ୍ଦୀ କରିବ । ଅନ୍ୟ ଦୁଇ ଦଳ ସେନାଛାଉଣୀ ଆକ୍ରମଣ କରି ଯଥା ସମ୍ଭବ କ୍ଷୟକ୍ଷତି କରିବେ । ଚତୁର୍ଥଦଳ ଗୋଳା ବାରୁଦ ଭଣ୍ଡାର, ଅସ୍ତ୍ରାଗାର ଆକ୍ରମଣ କରି ସେଥିରେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେବେ । ଏହି ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଲା । ଗଭର୍ଣ୍ଣରଙ୍କ ପ୍ରାସାଦର ରକ୍ଷୀମାନେ ଅତି ଅଳ୍ପ ସମୟ ମଧ୍ୟରେ ପରାଜିତ ହେଲେ ଏବଂ ପ୍ରାସାଦ ଅବରୋଧ କରାଯାଇ ସମସ୍ତଙ୍କୁ ବନ୍ଦୀ କରାଗଲା । ଯେଉଁମାନେ ପ୍ରତିରୋଧ କଲେ ସେମାନଙ୍କୁ ହତ୍ୟା କରାଗଲା । କିନ୍ତୁ ଆବଶ୍ୟକ ନ ହେଲେ ନରହତ୍ୟା ନକରିବାକୁ ନେଡ୍ ଏବଂ ଜେରାଲ୍‍ଡ୍‍ ନିର୍ଦ୍ଦେଶ ଦେଇଥିଲେ । ଗର୍ଜନ କରି ନିଗ୍ରୋମାନେ ଯେତେବେଳେ ସେନାଛାଉଣୀରେ ସ୍ପେନୀୟମାନଙ୍କୁ ଆକ୍ରମଣ କଲେ ସେମାନେ ବିସ୍ମିତ ହୋଇ ପ୍ରତିରୋଧ କରି ପାରିଲେ ନାହିଁ । ସେମାନେ ବନ୍ଧୁକ ଫୁଟାଇବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କରାଗଲା । ଯେତେବେଳେ ସେମାନଙ୍କର ପ୍ରତିରୋଧ ଦୃଢ଼ ହେଲା, ନିଗ୍ରୋମାନେ ବିଜୁଳିବେଗରେ ସେ ସ୍ଥାନ ଛାଡ଼ି ଚାଲିଗଲେ । ଏଣେ ଅସ୍ତ୍ରାଗାର ହୁ ହୁ ହୋଇ ଜଳି ଉଠିଲା ଏବଂ ସାରା ସହର ଆଲୋକିତ ହୋଇଗଲା । ଗୀର୍ଜାମାନଙ୍କରେ ସତର୍କ ଘଣ୍ଟି ବାଜି ଉଠିଲା । ନିଗ୍ରୋ ଏବଂ ଆଦିବାସୀମାନଙ୍କର ଗର୍ଜନ, ଗୋଳାଗୁଳିର ଶବ୍ଦ ଏବଂ ସହରବାସୀଙ୍କର ଆର୍ତ୍ତ ଚିତ୍କାର ଚାରିଆଡ଼େ ଶୁଣାଗଲା । ସହରବାସୀମାନେ ମନେକଲେ ଯେ ମୃତ୍ୟୁ ଆସି ସେମାନଙ୍କ ନିକଟରେ ଉପସ୍ଥିତ । ନିଗ୍ରୋମାନେ କୌଣସି ବ୍ୟକ୍ତିଗତ ଗୃହରେ ପ୍ରବେଶ କଲେ ନାହିଁ । ସହରରେ ପହଞ୍ଚିବାର ମାତ୍ର ଘଣ୍ଟାଏ ମଧ୍ୟରେ ସେମାନେ ସହର ବାହାରକୁ ଚାଲିଯାଇ ଦଳବଦ୍ଧ ହୋଇ ଜଙ୍ଗଲ ଆଡ଼କୁ ଚାଲିଲେ । ସେମାନଙ୍କ ମଝିରେ ଚାଲିଥାନ୍ତି ଗଭର୍ଣ୍ଣର ଏବଂ ତାଙ୍କର ଦୁଇ ପୁତ୍ର ।

 

ଅଭିଯାନ ପୂର୍ଣ୍ଣରୂପେ ସଫଳ ହେଲା । ନେଡ୍‍ ଦେଖିଲା ସେମାନେ ଶତ୍ରୁକୁ ଆଦେଶ ଦେବା ଭଳି ଅବସ୍ଥାରେ ନଥିଲେ ମଧ୍ୟ ଶତ୍ରୁ ଆକ୍ରମଣରୁ ନିଜକୁ ମୁକ୍ତ ରଖିବା ଅବସ୍ଥାରେ ପହଞ୍ଚିପାରିଛନ୍ତି । ସେମାନେ ପାହାଡ଼ ନିକଟରେ ପହଞ୍ଚିଲା ବେଳକୁ ରାତ୍ରି ଶେଷ ହୋଇ ଆସୁଥିଲା-। ଘଣ୍ଟାଏ ପରେ ସେମାନଙ୍କୁ ଅବରୋଧ କରି ରହିଥିବା ସେନାଦଳ ନିକଟକୁ ଗଭର୍ଣ୍ଣରଙ୍କର ଜଣେ ପୁତ୍ରକୁ ପଠାଗଲା । ତାଙ୍କ ହାତରେ ଖବର ପଠାଗଲା ଯେ ଅବରୁଦ୍ଧ ଶତ୍ରୁ ଦୁର୍ଗରୁ ଖସି ଯାଇଛି । ସେମାନେ ସହର ଆକ୍ରମଣ କରି ଗଭର୍ଣ୍ଣରଙ୍କୁ ବନ୍ଦୀ କରି ଆଣିଛନ୍ତି । ଗଭର୍ଣ୍ଣରଙ୍କର ଉପଦେଶ, ସେମାନେ ନିଗ୍ରୋମାନଙ୍କ ଦ୍ୱାରା ଆକ୍ରାନ୍ତ ହେବା ପୂର୍ବରୁ ଶୀଘ୍ର ପଛକୁ ହଟିଯାଆନ୍ତୁ ।

 

ଏହି ଜଙ୍ଗଲ ସ୍ପେନୀୟମାନଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା । ସେମାନେ ଅତି ଅପ୍ରତ୍ୟାଶିତ ଏବଂ ବିସ୍ମୟକର ଭାବେ ପରାଜିତ ହୋଇଥିଲେ । ତେଣୁ ସେଠାରୁ ଅକ୍ଷତ ଅବସ୍ଥାରେ ଫେରିଯିବାକୁ ସେମାନେ ଆନନ୍ଦରେ ରାଜି ହେଲେ । ଗଭର୍ଣ୍ଣରଙ୍କ ପୁତ୍ର ସେନାଦଳ ସହ ସହରକୁ ଫେରିଲେ । ସେନାପତି ଏବଂ ସହରବାସୀଙ୍କ ନିକଟକୁ ନେଡ୍‍ ତାଙ୍କ ହାତରେ ସମ୍ବାଦ ପଠାଇଥିଲା । ଜଙ୍ଗଲବାସୀଙ୍କ ତରଫରୁ ନେଡ୍‍ ଜଣାଇଦେଲା ଯେ ସ୍ପେନୀୟମାନେ ଯଦି ତାଙ୍କୁ ହଇରାଣ ନକରି ନିରାପଦରେ ଚଳିବାକୁ ଦେବେ, ତାହେଲେ ସେମାନେ ପ୍ରଥମତଃ ଗଭର୍ଣ୍ଣରଙ୍କୁ ମୁକ୍ତି ଦେବେ । ଦ୍ୱିତୀୟରେ ଜଙ୍ଗଲ ସୀମା ବାହାରେ ସେମାନେ କୌଣସି ପ୍ରକାର ଆକ୍ରମଣ ବା ଅନିଷ୍ଟ କରିବେ ନାହିଁ । ଯେଉଁ ପଳାତକ କ୍ରୀତଦାସମାନେ ସେମାନଙ୍କ ନିକଟରେ ଆଶ୍ରୟ ନେବାକୁ ଆସିବେ ସେମାନଙ୍କ କଥା ଦୁଇ ଦଳର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା କରାଯାଇ ସ୍ଥିର ହେବ । ଗଭର୍ଣ୍ଣର ମଧ୍ୟ ସମ୍ବାଦ ପଠାଇଲେ ଯେ ତାଙ୍କ ପ୍ରତି ଖୁବ୍ ଭଲ ବ୍ୟବହାର କରାଯାଇଛି ।

 

ଦୁଇଦିନ ପରେ ସମ୍ବାଦ ବାହକ ଫେରିଲା । ସମାଧାନ ପ୍ରଶ୍ନ ଉପରେ ସହରରେ ବହୁ ଆଲୋଚନା ସଭା ହୋଇଗଲା । କେତେଗୁଡ଼ାଏ ପଳାତକ କ୍ରୀତଦାସଙ୍କଦ୍ୱାରା ସ୍ପେନର ସାମରିକ ଶକ୍ତି ପରାଜିତ ହେବାରେ ଏବଂ ସେମାନଙ୍କ ସର୍ତ୍ତରେ ବାଧ୍ୟହୋଇ ରାଜି ହେବାରେ ସେମାନେ ଉତ୍ତ୍ୟକ୍ତ ହୋଇଉଠିଲେ । ସେମାନେ ପୁନର୍ବାର ସେନାବାହିନୀ ନେଇ ଯୁଦ୍ଧ କରିଥାନ୍ତେ, ମାତ୍ର ସହରର ସାଧାରଣ ଲୋକେ ଏହାର ପ୍ରତିବାଦ କଲେ । ସେମାନଙ୍କର କ୍ଷେତ, ବଗିଚା ଆଦି ନଷ୍ଟ ହୋଇ ଅନେକ କ୍ଷତି ହୋଇଥିଲା । ତା ବ୍ୟତୀତ ସହର ଉପରେ ଯେଉଁ ଆକ୍ରମଣ ହେଲା ସେଥିରୁ ସାରା ସହର ପୋଡ଼ି ଭସ୍ମ ହୋଇଯିବାର କମ୍ ଆଶଙ୍କା ନଥିଲା । ତେଣୁ ସେମାନେ ଏଇ ଦୁର୍ଦ୍ଦାନ୍ତ ଶତ୍ରୁ ସହ ସନ୍ଧି କରିବାପାଇଁ ବ୍ୟଗ୍ର ଥିଲେ । ସୈନ୍ୟମାନେ ମଧ୍ୟ ପୁଣି ଥରେ ଜଙ୍ଗଲକୁ ଯିବାପାଇଁ ମୋଟେ ଆଗ୍ରହୀ ନଥିଲେ । ବାରମ୍ବାର ବିଫଳ ହୋଇ ଆଉ ଅଭିଯାନ କରିବାକୁ ସେମାନଙ୍କର ଇଚ୍ଛା ନଥିଲା । ତେଣୁ ସନ୍ଧି ସ୍ଥାପନ ପାଇଁ ସେମାନେ ଆନ୍ତରିକ ଇଚ୍ଛା କରୁଥିଲେ । ଦିନସାରା ଅଲୋଚନା ପରେ ଶେଷରେ ସନ୍ଧି କରିବା ସ୍ଥିର ହେଲା ।

 

ସାମରିକ ବାହିନୀର ମୁଖ୍ୟ, ସହରର ସର୍ବୋଚ୍ଚ ଧର୍ମାଧ୍ୟକ୍ଷ ଏବଂ ବିଶିଷ୍ଟ ବ୍ୟବସାୟୀମାନଙ୍କର ଏକ ପ୍ରତିନିଧିଦଳ ଜଙ୍ଗଲକୁ ଚାଲିଲେ । ଚରମାନଙ୍କଠାରୁ ଏ ସମ୍ବାଦ ପାଇ ନେଡ୍‍ ଏବଂ ଜେରାଲ୍‍ଡ୍‍ ମୁଖ୍ୟ ନିଗ୍ରୋ ଏବଂ ସ୍ଥାନୀୟ ଅଧିବାସୀମାନଙ୍କ ସହିତ ସେମାନଙ୍କୁ ଭେଟିବାକୁ ଆସିଲେ । ସନ୍ଧିପାଇଁ ପୂର୍ବରୁ ହୋଇଥିବା ପ୍ରସ୍ତାବ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ତାହା ଗୃହୀତ ହେଲା ଓ ଏକ ଚୁକ୍ତିପତ୍ର ଲେଖାଗଲା । ଏଥିରେ ସ୍ପେନୀୟ ପ୍ରତିନିଧିଗଣ ଏବଂ ଗଭର୍ଣ୍ଣର ସ୍ୱାକ୍ଷର କଲେ । ଜଙ୍ଗଲବାସୀମାନଙ୍କ ପକ୍ଷରୁ ଚାରିଜଣ ପ୍ରତିନିଧି ମଧ୍ୟ ଏଥିରେ ସ୍ଵାକ୍ଷର କଲେ । ଏହିପରି ପଶ୍ଚିମ ଦ୍ୱୀପପୁଞ୍ଜରେ ସ୍ପେନୀୟ ଶକ୍ତିର ପ୍ରତିରୋଧ ସଫଳତାର ସହ ଶେଷ ହେଲା । ଗଭର୍ଣ୍ଣର ତାଙ୍କ ଦୁଇ ପୁତ୍ରଙ୍କ ସହ ସହରକୁ ଫେରିଲେ ।

 

ଜଙ୍ଗଲ ଲୋକେ ତାଙ୍କ ଜଙ୍ଗଲ ରାଜ୍ୟରେ ସୁଖରେ ରହିଲେ । ନେଡ୍‌ ଏବଂ ଜେରାଲ୍‍ଡ୍‍ ତାଙ୍କର ବନ୍ଧୁମାନଙ୍କୁ ସନ୍ଧିର ସର୍ତ୍ତ ପାଳନ କରି ଶାନ୍ତିରେ ରହିବାକୁ ଉପଦେଶ ଦେଲେ । ସେମାନେ ବୁଝାଇ ଦେଲେ ଯେ ସ୍ପେନୀୟମାନେ ଅବସ୍ଥାଚକ୍ରରେ ପଡ଼ି ସନ୍ଧି କରିବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ ଏହା ନିଶ୍ଚିତ ଯେ ଅଧିକ ଶକ୍ତିଶାଳୀ ଦଳ ଅଧିକ କାଳ ଏ ସର୍ତ୍ତକୁ ମାନିବ ନାହିଁ । ସ୍ପେନୀୟମାନେ ଯେଉଁ ଅପମାନ ପାଇଛନ୍ତି ତାର ପ୍ରତିଶୋଧ ନେବାକୁ ସବୁବେଳେ ଚାହିଁବେ । ତେଣୁ ସନ୍ଧିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ସହ ଯୁଦ୍ଧପାଇଁ ସବୁବେଳେ ପ୍ରସ୍ତୁତ ରହିବା ମଧ୍ୟ ଆବଶ୍ୟକ ।

 

ନେଡ୍‌ ଏବଂ ଜେରାଲ୍‍ଡ୍‍ ଜଙ୍ଗଲକୁ ଆସିବାର ପ୍ରାୟ ଏକବର୍ଷ ହୋଇଗଲାଣି । ସମ୍ବାଦ ମିଳିଲା ଯେ ସେ ଅଞ୍ଚଳକୁ ଏକ ଇଂରେଜ ଜାହାଜ ଆସିଛି । ଏ ସମ୍ବାଦ ଆଣିଦେଲେ କେତେକ ସ୍ଥାନୀୟ ଅଧିବାସୀ । ନେଡ୍ ଓ ଜେରାଲ୍‍ଡ୍‍ ଏହି ଜାହାଜରେ ନିଜ ଦେଶକୁ ଫେରିଯିବାକୁ ସ୍ଥିର କଲେ । ସେମାନଙ୍କର ପ୍ରିୟ ନେତା ଦୁହେଁ ଚାଲିଯିବେ— ଏ ସମ୍ବାଦରେ ଜଙ୍ଗଲବାସୀମାନଙ୍କ ମଧ୍ୟରେ ଗଭୀର ଦୁଃଖର ଛାୟା ଖେଳିଗଲା । ସରଳ ଜଙ୍ଗଲବାସୀମାନେ ସେ ଦୁଇଜଣଙ୍କୁ ଘେରି ବହୁ ବିନୟ କରି ତାଙ୍କର ମତ ପରିବର୍ତ୍ତନ କରିବାକୁ ଅନୁରୋଧ କଲେ । ତରୁଣ ଦୁଇଜଣ ସେମାନଙ୍କୁ ବୁଝାଇ କହିଲେ ଯେ ପ୍ରାୟ ତିନିବର୍ଷ ହେବ ସେମାନେ ଘରଛାଡ଼ି ଆସିଛନ୍ତି । ତା ବ୍ୟତୀତ ଜଙ୍ଗଲବାସୀମାନେ ବର୍ତ୍ତମାନ ନିଜକୁ ରକ୍ଷା କରିବାକୁ ସମର୍ଥ । ସ୍ପେନୀୟମାନେ ସେମାନଙ୍କୁ ଯଥେଷ୍ଟ ଖାତିର କଲେଣି । ସେମାନେ ସ୍ପେନୀୟମାନଙ୍କୁ ହଇରାଣ ନକଲେ ସ୍ପେନୀୟମାନେ ସେମାନଙ୍କୁ ନିର୍ବିଘ୍ନରେ ରହିବାକୁ ଦେବେ । ତେଣୁ ସେମାନଙ୍କର ଆଉ ଆବଶ୍ୟକତା ନାହିଁ । କେତେକ ନିଗ୍ରୋ ତରୁଣ ସେ ଦୁହିଁଙ୍କୁ ବଳପୂର୍ବକ ଅଟକାଇ ରଖିବାକୁ ବିଚାର କଲେ । କିନ୍ତୁ ଅଧିକାଂଶ ଏହାର ବିରୋଧ କଲେ । ଆଦିମଅଧିବାସୀମାନେ ପୁରୁଷାନୁକ୍ରମେ କେତେକ ସୁନା ସାଇତି ରଖିଥିଲେ । ସେମାନେ ଏହା ନେଇ ନେଡ୍‍ ଏବଂ ଜେରାଲ୍‍ଡ୍‍କୁ ଉପହାର ଦେଲେ । ରାତିର ଅନ୍ଧକାରରେ ଅଧିକାଂଶ ଜଙ୍ଗଲବାସୀ ସେମାନଙ୍କୁ ବିଦାୟ ଦେବାପାଇଁ ନୌକା ନିକଟକୁ ଚାଲିଲେ । ସେମାନଙ୍କର ଦୁଃଖରେ ତରୁଣ ଦୁଇଜଣ ମଧ୍ୟ ଅତ୍ୟନ୍ତ ଦୁଃଖିତ ହେଲେ । ପୁଣି କେବେ ଏ ଅଞ୍ଚଳକୁ ଆସିଲେ ତାଙ୍କ ନିକଟକୁ ଆସିବେ ବୋଲି ଦୁହେଁ ପ୍ରତିଶ୍ରୁତି ଦେଲେ । ଯିବା ପୂର୍ବରୁ ସେମାନେ ଦୁଇଜଣ ଚତୁର ଏବଂ କାର୍ଯ୍ୟଦକ୍ଷ ବ୍ୟକ୍ତିଙ୍କୁ ଦଳର ନେତା ମନୋନୀତ କଲେ । ସମସ୍ତେ ଏ ଦୁଇଜଣଙ୍କୁ ମାନି ଚଳିବାକୁ ପଣ କଲେ ।

 

ପାଲ ଉଡ଼ାଇ ନୌକା ନଦୀର କ୍ଷୁଦ୍ର ତରଙ୍ଗ ଉପରେ ନାଚି ନାଚି ଆଗେଇ ଚାଲିଲା । ଦାର୍ଘ ଅଠରମାସ ସଭ୍ୟ ଜଗତରୁ ବିଚ୍ଛିନ୍ନ ରହିବା ପରେ ପୁଣି ମାତୃଭୂମିକୁ ଫେରିବା, ମାତୃଭାଷା ଶୁଣିବା ଆଶାରେ ନେଡ୍ ଏବଂ ଜେରାଲ୍‍ଡ୍‍ ଉତ୍‍ଫୁଲ୍ଲ ହୋଇ ଉଠିଲେ । ଦୁଇଦିନ ଯାତ୍ରା ପରେ ସେମାନେ ଇଂରେଜ ଜାହାଜ ଥିବା ଉପସାଗରରେ ପହଞ୍ଚିଲେ । ଏଠାରେ ଜାହାଜ ‘ମେରିଆ’କୁ ଦେଖି ସେମାନେ ଆନନ୍ଦିତ ହୋଇଉଠିଲେ । କ୍ୟାପ୍ଟେନ୍ କ୍ଳିଫ୍ ଥିଲେ ଏ ଜାହାଜର ଅଧ୍ୟକ୍ଷ । ନେଡ୍‍ ଏବଂ ଜେରାଲ୍‍ଡ୍‍ ସେମାନଙ୍କର ପରିଚୟ ଏବଂ ପୂର୍ବ ଘଟଣାବଳୀ ବର୍ଣ୍ଣନା କରିଗଲେ । ଅତି ଆନନ୍ଦ ଏବଂ ବିସ୍ମୟରେ ସେମାନଙ୍କୁ ଜାହାଜରେ ଗ୍ରହଣ କରାଗଲା । ସେମାନେ ନିରୁଦ୍ଦିଷ୍ଟ ହେବା ସମ୍ବାଦ ଇଂଲଣ୍ଡରେ ପ୍ରଚାରିତ ହୋଇଥିଲା । କ୍ୟାପ୍ଟେନ୍ କ୍ଳିଫ୍ ଜେରାଲ୍‍ଡ୍‍ଙ୍କର ପିତାଙ୍କ ବାସସ୍ଥାନ ନିକଟର ଅଧିବାସୀ । ସେ ଜଣାଇଲେ ଯେ ଏ ଦୁହେଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି ବୋଲି ସେ ଅଞ୍ଚଳରେ ସମସ୍ତଙ୍କର ବିଶ୍ୱାସ । ତାଙ୍କ ପରିବାରର ସମସ୍ତେ ଅତ୍ୟନ୍ତ ଦୁଃଖିତ ।

 

କ୍ୟାପ୍ଟେନ୍ କ୍ଳିଫ୍ ଜଳଦସ୍ୟୁ ବୃତ୍ତି କରିବାପାଇଁ ଆସି ନଥିଲେ । ସ୍ଥାନୀୟ ଅଧିବାସୀମାନଙ୍କ ସହ ବାଣିଜ୍ୟ କରିବା ତାଙ୍କର ଉଦ୍ଦେଶ୍ୟ । ସେ ଆଫ୍ରିକା ଉପକୂଳରେ ବାଣିଜ୍ୟ କରି ଯଥେଷ୍ଟ ଲାଭବାନ୍ ହୋଇଥିଲେ । ଅଭିଯାତ୍ରୀ ଦଳର ସମସ୍ତେ ଆଶାତୀତ ଅର୍ଥ ଲାଭ କରି ପାରିଥିଲେ । ଜାହାଜ ବର୍ତ୍ତମାନ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ଥିଲା ।

 

ଦୁଇମାସ ଜଳଯାତ୍ରା ପରେ ନେଡ୍ ଏବଂ ଜେରାଲ୍‍ଡ୍‍ ହୃଦୟରେ ଆନନ୍ଦର ଢେଉ ଖେଳାଇ ଅଦୂରରେ ଦେଖାଗଲା ପ୍ଲାଇମାଉଥ ବନ୍ଦର ଅପର ପାର୍ଶ୍ୱର ପାହାଡ଼ ଶ୍ରେଣୀ ।

Image